
ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ଆଣ୍ଡାମାନରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ୪୮ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବ। ୪ରୁ ୫ଦିନ ସମୁଦ୍ର ଭିତରେ ବଳ ଗୋଟାଇବା ପରେ ସ୍ଥଳଭାଗକୁ ଛୁଇଁବ । ଏହି ୫ଦିନରେ ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ଅଧିକ। ସମୁଦ୍ରରେ ଜଳବାୟୁର ସ୍ଥିତି, ପବନର ଦିଗ ଏବଂ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି ।
ବାତ୍ୟା ଦଶହରା ପରେ ଓଡ଼ିଶାରେ ମାଡ଼ ହେବ ବୋଲି କୁହାଯାଉଛି। ୱିଣ୍ଡିର ଆକଳନ କହୁଛି ଏହା ପୁରୀରୁ ପାରାଦୀପ ମଝିରେ ସ୍ଥଳଭାଗ ଛୁଇଁବ। ଅକ୍ଟୋବର ୧୬ ତାରିଖ ବିଳମ୍ବିତ ରାତିରେ କିମ୍ବା ୧୭ତାରିଖ ସକାଳେ ଏହା ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ରୁ ୪୮ଘଣ୍ଟା ମଧ୍ୟରେ ସ୍ପଷ୍ଟ ଚିତ୍ର ଆସିଯିବ। କିନ୍ତୁ ଏବେ ବଙ୍ଗୋପସାଗରର ସ୍ଥିତି ଏବଂ ସ୍ଥଳଭାଗର ସ୍ଥିତି ବାତ୍ୟା ପାଇଁ ପୂରା ଅନୁକୂଳ ଅଛି।