ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଜେଲରୁ ମୁକୁଳିବା ପରେ ସଞ୍ଜୟ ରାଉତ କହିଲେ: ୧୦୩ ବିଧାୟକ ଜିତାଇବି

ମୁମ୍ବାଇ: ୧୦୩ ଦିନ ଜେଲ୍‌ରେ ରହିବା ପରେ ଶେଷରେ ଗତକାଲି ରାତିରେ ଜେଲ୍‌ରୁ ବାହାରିଛନ୍ତି ଉଦ୍ଧବ ଠାକରେଙ୍କ ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତ । ଗତରାତିରେ ସେ ଜେଲ୍‌ରୁ ମୁକୁଳିବା ବେଳେ ଜେଲ୍‌ ସମ୍ମୁଖରେ ଶହ ଶହ ଶିବସେନା କର୍ମୀଙ୍କ ଭିଡ଼ ଲାଗିଥିବା ବେଳେ ସେମାନେ ତାଙ୍କୁ ପାଛୋଟି ନେଇଥିଲେ। ଏହି ଅବସରରେ ଭାଜପା ଉପରେ ବର୍ଷିଥିବା ସଞ୍ଜୟ ରାଉତ କହିଲେ ମରିବି ପଛେ ଶିବ ସେନା ଛାଡ଼ିବି ନାହିଁ । କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ତାଙ୍କୁ ଗିରଫ କରାଯାଇଥିଲା, ହେଲେ ଏବେ ସେ ମୁକୁଳିଯାଇଥିବାରୁ ଯୁଦ୍ଧର ବେଳ ଆସି ଯାଇଛି ବୋଲି କହିଛନ୍ତି ଏହି ଶିବ ସେନା। ଏଥିସହ ମୋତେ ୧୦୩ ଦିନ ଜେଲ୍‌ରେ ରଖିଥିବାରୁ ଏବେ ୧୦୩ ବିଧାୟକଙ୍କୁ ଜିତାଇ ମହାରାଷ୍ଟ୍ର ବିଧାନସଭାକୁ ପଠାଇବି ବୋଲି ବି ପଣ କରିଛନ୍ତି ।

ପାତ୍ରା ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଗତ ଅଗଷ୍ଟ ୧୦ରେ ଇଡି ଦ୍ୱାରା ବନ୍ଧା ହୋଇଥିଲେ ସଞ୍ଜୟ ରାଉତ । ଦୀର୍ଘ ୩ ମାସ ମୁମ୍ବାଇର ଆର୍ଥର ଜେଲ୍‌ରେ ରହିବା ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଗତକାଲି ତାଙ୍କୁ ୨ ଲକ୍ଷର ଜମାନତରେ ଜାମିନ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଉପରେ ରୋକ ଲଗାଇବା ପାଇଁ ଇଡି ପକ୍ଷରୁ ସମୟ ମଗା ଯାଇଥିବା ବେଳେ କୋର୍ଟ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ।

ସୂଚନାନୁସାରେ,  ଅକ୍ଟୋବର ୨୧ରେ ସଞ୍ଜୟଙ୍କ ଜାମିନ ଆବେଦନ ଉପରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏହାପରେ ଗତକାଲି ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଜେଲରୁ ବାହାରିବା ପରେ ସଞ୍ଜୟ ରାଉତଙ୍କୁ ଏକ ବିରାଟ ପଟୁଆରରେ ତାଙ୍କ ଘର ପର୍ଯ୍ୟନ୍ତ ନିଆଯାଇଥିଲା।

ସେଠାରେ ସଞ୍ଜୟ ରାଉତଙ୍କ ସ୍ୱାଗତ ନିମନ୍ତେ ଏକ ମଞ୍ଚ ପ୍ରସ୍ତୁତ ହୋଇଥିବା ବେଳେ ଏକ ବ୍ୟାନରରେ ସତ୍ୟମେବ ଜୟତେ ଲେଖାଯାଇଥିଲା । ଏହି ଅବସରରେ ସଞ୍ଜୟ ରାଉତ କହିଥିଲେ ଶହେ ଦିନ ପରେ ସମସ୍ତେ ମୋତେ ମନେ ପକାଇଲେ, ତେଣୁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ । ଏହି ଜାଗାରୁ ମୋତେ ଗିରଫ କରି ନେଇଥିଲେ। ସେତେବେଳେ ମରିବାକୁ ପସନ୍ଦ କରିବି, ହେଲେ ଶରଣ ପଶିବି ନାହିଁ ବୋଲି କହିଥିଲି। ୩ ମାସ ମଧ୍ୟରେ ଶିବସେନାକୁ ଭାଙ୍ଗିବା ଏବଂ ଧ୍ୱଂସ କରିବାକୁ ବହୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଶିବସେନା ଭାଙ୍ଗି ନାହିଁ। ଏହା ଆହୁରି ବଳିୟାନ ହୋଇ ଉଠିଛି। ମୋତେ ଗିରଫ କରି ସେମାନେ ସବୁଠୁ ବଡ ଭୁଲ କରିଛନ୍ତି, ବର୍ତ୍ତମାନ ସେମାନେ ନିଜ ଭୁଲ୍‌ ବୁଝିପାରିବେ ବୋଲି କହିଛନ୍ତି ସଞ୍ଜୟ ରାଉତ ।

Show More

Related Articles

Back to top button