Breaking PLUSଖେଳ

ଟି-୨୦ ବିଶ୍ୱକପ: ନାମିବ୍ୟାକୁ ୬୨ ରନ୍‌ରେ ପରାସ୍ତ କଲା ଆଫ୍‌ଗାନିସ୍ତାନ

ଟି-୨୦ ବିଶ୍ୱକପ୍‌ର ୨୭ତମ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ୬୨ ରନ୍‌ରେ ନାମିବ୍ୟାକୁ ପରାସ୍ତ କରିଛି । ଆବୁଧାବିର ଶେଖ୍‌ ଜାୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ଟସ୍‌ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମହମ୍ମଦ ନବିଙ୍କ ନେତୃତ୍ୱରେ ଆଫ୍‌ଗାନିସ୍ତାନ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୬୦ ରନ୍‌ ସଂଗ୍ରହ କରିଥିଲା ।

ଫଳରେ ନାମିବ୍ୟାକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୬୧ ରନ୍‌ର ଲକ୍ଷ୍ୟ ମିଳିଥିଲା । ନାମିବ୍ୟା ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୯୮ ରନ୍‌ କରିଥିଲା । ଦଳ ପାଇଁ ଡାଭିଡ ଓ୍ଵାଇସ୍‌ ସର୍ବାଧିକ ୨୬ ରନ୍‌ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ୍‌ ହକ୍‌ ଓ ହମିଦ୍‌ ହାସନଙ୍କୁ ୩-୩ ଓ୍ଵିକେଟ୍‌ ମିଳିଥିଲା । ଗୁଲାବିନ ନବିଙ୍କୁ ୨ଟି ଓ୍ଵିକେଟ୍‌ ମିଳିଥିବା ବେଳେ ରସିଦ ଖାନ୍‌ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ ।

ଆଫ୍‌ଗାନିସ୍ତାନ ପାଇଁ ହଜ୍‌ରତୁଲ୍ଲା ଜଜାଇ ଓ ମହମ୍ମଦ ଶହଜାଦ୍‌ ଇନିଂସ ଆରମ୍ଭ କରିଥିଲେ । ପ୍ରଥମ ଓ୍ଵିକେଟ ପାଇଁ ଉଭୟ ଖେଳାଳି ଭଲ ସ୍କୋର କରିଥିଲେ । ଟିମ୍‌ ୫୩ ରନ୍‌ରେ ହଜ୍‌ରତୁଲ୍ଲାଙ୍କୁ ହରାଇ ଥିଲା । ହଜ୍‌ରତୁଲ୍ଲା ବ୍ୟକ୍ତିଗତ ଭାବେ ୩୩ ରନ୍‌ କରିଥିଲେ । ସେ ୨୭ଟି ବଲ ଖେଳି ୪ଟି ଚୌକା ଓ ୨ଟି ଛକା ସାହାଯ୍ୟରେ ଏହି ରନ୍‌ ଯୋଡ଼ିଥିଲେ । ସେ ଆଉଟ୍‌ ହୋଇଯିବା ପରେ ରହମ୍ମୁଲା ଗୁରବାଜ୍‌ (୪ ରନ୍‌) ପଡ଼ିଆକୁ ପ୍ରବେଶ କରିଥିଲେ । ମାତ୍ର ରହମ୍ମୁଲା ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରି ନଥିଲେ ।

ମହମ୍ମଦ ଶହଜାଦ୍‌ ଆଫଗାନିସ୍ତାନ ପାଇଁ ସର୍ବାଧିକ ୪୫ ରନ୍‌ ଯୋଡ଼ିଥିଲେ । ସେ ୩୩ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଦଳ ପାଇଁ ଅସ୍‌ଗର ଆଫ୍‌ଗାନ୍‌ ୨୩ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୧ ରନ୍‌ ସଂଗ୍ରହ କରିଥିବା ବେଳେ ମହମ୍ମଦ ନବି ଅପରାଜିତ ୩୨ ରନ୍‌ କରିଥିଲେ । ନବି ୧୭ଟି ବଲ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ନାମିବ୍ୟା ତରଫରୁ ରୁବେନ୍‌ ଟ୍ରମ୍‌ପେଲ୍‌ମ୍ୟାନ୍‌ ଓ ଜାନ୍‌ ନିକୋଲ୍‌ ଲଫ୍‌ଟିଲ-ଇଏଟନ୍‌ଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିଲା। ସେହିପରି ଜେଜେ ସ୍ମିଥ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ ।

Show More

Related Articles

Back to top button