ଆଉ ନାହାଁନ୍ତି ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ

ଆରପାରିରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଓଡ଼ିଆ ଧାରାବାହିକ ଓ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା । ତାଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ,ସେ ୨ବର୍ଷ ଧରି ହୃଦ୍ ଏବଂ କିଡନୀଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ବାମୀ ହିମାଂଶୁ ଶେଖର ସାମଲ ଓ ଝିଅ ଅରୁନ୍ଧତୀ ଦେବିକା ଉପସ୍ଥିତ ଥିଲେ।ସେ ଭୁବନେଶ୍ୱର ନୟାପଲ୍ଲୀରେ ପରିବାର ସହ ରହୁଥିଲେ। ତାଙ୍କ ମରଶରୀର ବାସଭବନକୁ ଅଣାଯିବା ପରେ ଅନେକ ଶୁଭେଚ୍ଛୁ ତାଙ୍କର ଶେଷ ଦର୍ଶନ କରିଛନ୍ତି। ପୁରୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଅନେକ ଧାରାବାହିକରେ ସେ ମା’ ଭୂମିକାରେ ଅଭିନୟ କରିଛନ୍ତି। ‘ତୁଳସୀ’, ‘ସିନ୍ଦୁର ବିନ୍ଦୁ’, ‘କେମିତି ଏ ବନ୍ଧନ’ ଆଦି ଧାରାବାହିକରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା। ତାଙ୍କ ସ୍ବାମୀ ଜଣେ ନାଟ୍ୟ ନିର୍ଦ୍ଦେଶକ, ଝିଅ ଅରୁନ୍ଧତୀ ଓ ଅନୁଭୂତି ମଧ୍ୟ ଓଲିଉଡର ଜଣେ ଜଣେ ସଫଳ ନାୟିକା।