ଆରପାରିରେ ‘ହ୍ୟାରି ପୋଟର୍’ର ହାଗ୍ରିଡ୍ ଭୂମିକାରେ ଅଭିନୟ କରିଥିବା ଅଭିନେତା ରୋବି କୋଲଟ୍ରେନ

ଆରପାରିରେ ହଲିଉଡ୍ର ଫିଲ୍ମ ସିରିଜ୍ ‘ହ୍ୟାରି ପୋଟର୍’ର ହାଗ୍ରିଡ୍ ଭୂମିକାରେ ଅଭିନୟ କରିଥିବା ଅଭିନେତା ରୋବି କୋଲଟ୍ରେନ । ଗତ କିଛି ଦିନ ହେବ ତାଙ୍କର ସ୍ଵାସ୍ଥ୍ୟସମସ୍ୟା ଲାଗି ରହିଥିବାହବେଳେ ସ୍କଟଲ୍ୟାଣ୍ଡର ଫାଲ୍କିର୍କ ନିକଟ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସେଠାରେ ସେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଏନେଇ ଅଭିନେତାଙ୍କ ଏଜେଣ୍ଟ ବେଲିଣ୍ଡା ରାଇଟ୍ ସୂଚନା ଦେଇଛନ୍ତି।
ହ୍ୟାରି ପୋଟର ଲେଖିକା ଜେକେ ରାଉଲିଙ୍ଗ ମଧ୍ୟ ଟ୍ୱିଟରରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଉଲିଙ୍ଗ କୋଲଟ୍ରନଙ୍କୁ ଏକ ଅବିଶ୍ୱାସନୀୟ ପ୍ରତିଭା ଭାବରେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ରୋବିଙ୍କ ପରି ଆଉ କାହାକୁ ଏପରି ଜାଣି ପାରିବି ନାହିଁ। ସେ ଜଣେ ଅବିଶ୍ୱସନୀୟ ପ୍ରତିଭା ଥିଲେ। ମୁଁ ତାଙ୍କୁ ଜାଣିବା, ତାଙ୍କ ସହ କାମ କରିବା ଏବଂ ତାଙ୍କ ସହ ହସିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ମୁଁ ତାଙ୍କର ସମସ୍ତ ପିଲା ଏବଂ ସେମାନଙ୍କ ପରିବାର ପ୍ରତି ମୋର ପ୍ରେମ ଏବଂ ଗଭୀର ସମବେଦନା ଜଣାଉଛି। ‘
‘ହ୍ୟାରି ପୋଟର୍’ ବ୍ୟତୀତ ସେ ଆଇଟିଭିର ଗୁପ୍ତଚର ଡ୍ରାମା ‘କ୍ରାକର’ ଏବଂ ଜେମ୍ସ ବଣ୍ଡ ଫିଲ୍ମ ‘ଗୋଲଡେନ୍ଆଇ’ ଏବଂ ‘ଦି ୱାର୍ଲ୍ଡ ଇଜ୍ ନଟ୍ ଇନଫ୍’ ରେ ମଧ୍ୟ ଅଭିନୟ କରିଥିଲେ।