ଓଡ଼ିଶାମୁଖ୍ୟ ଖବର

ଉପକୃତ ହେଲେ ୩୭ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ

ଆଜି ନୂଆଁଖାଇ ଅବସରରେ କାଳିଆ ଯୋଜନା ଦ୍ୱାରା ୩୭ ଲକ୍ଷ ୧୨ହଜାର ୯୧୪ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚାଷୀ ମାନଙ୍କର ପର୍ବ ନୂଆଁଖାଇରେ କାଳିଆ ଯୋଜନାରେ ଅର୍ନ୍ତଭୁକ୍ତ ଚାଷୀ ମାନଙ୍କୁ ୭୪୨.୫୮କୋଟି ଟଙ୍କାର ରବି ଫସଲ ସହାୟତା ପ୍ରଦାନ କରିଛନ୍ତି । ସମସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଁଏ ପଠାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ପ୍ରଦାନ କରି କହିଛନ୍ତି ଯେ, କାଳିଆ ଯୋଜନା ହେଉଛି ଚାଷୀର କଲ୍ୟାଣ ପାଇଁ ସମଗ୍ର ଦେଶରେ ସବୁଠୁ ଭଲ ଯୋଜନା । ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ଲକ୍ଷଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠୁ ଅଧିକ ଉପକାର ପାଉଛନ୍ତି । କୋଭିଡ୍ ମହାମାରୀ ଆରମ୍ଭ ହେବା ପରଠୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀମାନଙ୍କୁ ୩୨ଶହ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ପ୍ରଦାନ କରିସାରିଲେଣି । ଚାଷୀଙ୍କ ସମସ୍ୟାକୁ କେବେ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏମଏସପି ଓ ଫସଲ ବୀମା ପ୍ରସଙ୍ଗରେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ସେ କହିଛନ୍ତି । ସାର ଅଭାବକୁ ନେଇ ଦେଖାଦେଇଥିବା ଅସୁବିଧାର ସମାଧାନ ପାଇଁ ମଧ୍ୟ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଥିବା କହିଛନ୍ତି । ମରୁଡ଼ି ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏବେ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶାବ୍ୟକ୍ତ କରିଛନ୍ତି । କୃଷି ବିଭାଗର ପରାମର୍ଶ ଅନୁସାରେ ଚାଷୀମାନେ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନୂଆଁଖାଇ ହେଉଛି ମାଟି ମା’ର ପର୍ବ । ଆଉ ଚାଷୀମାନେ ହେଉଛନ୍ତି ମାଟି ମା’ର ସବୁଠୁ ବଡ଼ ପୂଜାରୀ । ତେଣୁ ଏହି ପବିତ୍ର ଦିନରେ ସହାୟତା ଦିଆଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ।

 

Show More

Related Articles

Back to top button