ଅପରାଧଆଇନ କାନୁନମୁଖ୍ୟ ଖବର

ବାଇକ୍‌ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା

ବରଗଡ଼ : ମାସେ ତଳେ ବାଇକ୍ ଚୋରି ହୋଇଥିଲା । ବାଇକ୍‌ର ପତ୍ତା ମିଳୁ ନ ଥିବା ବେଳେ ଚୋର ସନ୍ଧାନରେ ଥିଲେ ଗ୍ରାମବାସୀ । ଶେଷରେ ସିସିଟିଭି ଫୁଟେଜ ଆଧାରରେ ଜଣେ ଯୁବକଙ୍କୁ ଟେକି ଆଣିଲେ। ହେଲେ ତାଙ୍କୁ ପୁଲିସ୍‌କୁ ଧରେଇବା ବଦଳରେ ନିର୍ଧୂମ ଛେଚିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ପଡ଼ିଥିବା ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କଲେ। ଏନେଇ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଏକ ଅମାନବୀୟ ଘଟଣା ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବଲିଟିକ୍ରା ଗାଁରେ ଘଟିଛି। ଗ୍ରାମବାସୀ ଆଇନ୍‌କୁ ନିଜ ହାତକୁ ନେଉଥିବାରୁ ଏପରି ସାଂଘାତିକ ପରିସ୍ଥିତି ସୃଷ୍ଟି ହେଉଥିବା ଆଲୋଚନା ହେଉଛି। ସୂଚନା ଅନୁସାରେ, ବଲିଟିକ୍ରା ଗାଁର ରାଜେଶ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଗତ ମାସ ୨୭ ତାରିଖରେ ଚୋରି ହୋଇଥିଲା । ଏନେଇ ବରପାଲି ଫାଣ୍ଡିରେ ଏକ ଚୋରି ମାମଲା ରୁଜୁ ହୋଇଥିଲା । ତେବେ ସିସିଟିଭି ଫୁଟେଜ ଆଧାରରେ ସୋନପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ଗଜବନ୍ଦ ଗାଁର ଯୋଗେଶ୍ୱର ମେହେର ନାମକ ଜଣେ ଯୁବକ ଏହି ବାଇକ୍‌ ଚୋରି କରି ନେଇଥିବା ସୂଚନାମିଳିଥିଲା। ବହୁ ଖୋଜା ଖୋଜି ପରେ ଗତ କାଲି ଯୋଗେଶ୍ୱରଙ୍କୁ କାବୁ କରି ରାଜେନ୍ଦ୍ର ଭୋଇ ଓ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ମୁମୁର୍ଷ ଅବସ୍ଥାରେ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚି ବରପାଲି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି।

Show More

Related Articles

Back to top button