
ଚାନ୍ଦବାଲି : ଯୌତୁକ ପାଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଗର୍ଭବତୀ ମହିଳା। ଏନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଗଜଗିରି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁଲତା ମଲିକ। ଗତକାଲି ମଞ୍ଜୁଲତା ଘରେ ଏକୁଟିଆ ଥିଲେ। ଶାଶୂ ବିଲକୁ ଯାଇଥିବାବେଳେ ଶ୍ୱଶୁର ବଜାରକୁ ଯାଇଥିଲେ ଓ ନଣନ୍ଦ ପାଣି ପାଇଁ ଯାଇଥିଲେ। ଏହି ସମୟରେ ମଞ୍ଜୁଲତା ଭିତରୁ କବାଟ ଦେଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ନଣନ୍ଦ ପାଣି ଆସି କବାଟ ବାଡ଼େଇଥିଲେ ମଧ୍ୟ ସେ ଖୋଲି ନଥିଲେ। ପରେ ଗ୍ରାମବାସୀ କବାଟ ଭାଙ୍ଗି ମଞ୍ଜୁଲତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅକୁ ତାର ଶ୍ୱଶୁର ଘର ଲୋକ ଯୌତୁକ ବାଇଁ ତଣ୍ଟି ଚିପି ହତ୍ୟା କରିଥିବା ମଞ୍ଜୁଲତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏନେଇ ସେମାନେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ କହିଛନ୍ତି। ୪ମାସ ତଳେ ତିହିଡି କାଁପଡ଼ା ଗାଁର ପିତବାସ ଦାସଙ୍କ ଝିଅ ମଞ୍ଜୁଲତା ଚାନ୍ଦବାଲି ଗଜଗିରି ଗାଁର ଅଜୟ ମଲିକଙ୍କୁ ବିବାହ କରିଥିଲେ। ମଞ୍ଜୁଲତା ୩ମାସର ଗର୍ଭବତୀ ଥିଲେ। ତାଙ୍କ ସ୍ୱାମୀ ଘରେ ରହୁନଥିଲେ। ସେ ବାହାରେ ରହି କାମ କରୁଛନ୍ତି। ଅନ୍ୟପକ୍ଷରେ ମଞ୍ଜୁଲତାଙ୍କ ବାପଘର ଲୋକ ଆଣିଥିବା ଅଭିଯୋଗକୁ ଶାଶୂ ଘର ଲୋକ ଖଣ୍ଡନ କରିଛନ୍ତି। ମଞ୍ଜୁଲାତାଙ୍କ ଶାଶୂ କହିଛନ୍ତି, ଯଦି ଆମେ ଦୋଷ କରିଥିବୁ ଆମେ ଦଣ୍ଡ ପାଇବୁ। ଆମେ ବୋହୂକୁ ହତ୍ୟା କରିନାହୁଁ। ଯୌତୁକ ବାବଦରେ କୌଣସି ଟଙ୍କା ମଞ୍ଜୁଲାତାଙ୍କୁ ମାଗି ନାହୁଁ ବୋଲି ସେ କହିଛନ୍ତି । ତଦନ୍ତ ପରେ ଜଣାପଡିବ ଯେ, ଏହା ହତ୍ୟା ନା ଆତ୍ମହତ୍ୟା ।