ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିବ ନୂଆ କବାଟ,୧୫ ଦିନ ପାଇଁ ବନ୍ଦ୍ ରହିବ ଏହି ଦ୍ୱାର

ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିବ ନୂଆ କବାଟ । ପଞ୍ଚୁକ ପରେ ପରେ ଏଏସ୍ଆଇ ପକ୍ଷରୁ ଏହି କବାଟ ଖଞ୍ଜା କାମ କରାଯିବ । ଆସନ୍ତା ୧୦ ତାରିଖରୁ କାର୍ଯ୍ୟ ଆରମ୍ଭ ହେବ । ତେଣୁ ୧୫ ଦିନ ପାଇଁ ସିଂହଦ୍ବାରକୁ ବନ୍ଦ୍ ରଖାଯିବ । ସେବାୟତସମୂହ ଓ ଶ୍ରଦ୍ଧାଳୁମାନଙ୍କ ଯାତାୟାତ ପାଇଁ ମନ୍ଦିରର ଉତ୍ତରଦ୍ବାର ଖୋଲାରହିବ। ଏନେଇ ମନ୍ଦିର ପ୍ରଶାସନ ସମେତ ବିଭିନ୍ନ ନିଯୋଗକୁ ଏଏସ୍ଆଇ ପକ୍ଷରୁ ଚିଠି ଲେଖାଯାଇଛି ବୋଲି ସୂଚନା ଦିଆଯାଇଛି।
ସେହିପରି ମନ୍ଦିର ସିଂହଦ୍ବାରରେ ହେବାକୁ ଥିବା ଏହି କାମ ପାଇଁ କିଛି ଉଠା ଦୋକାନୀ ଓ ମନ୍ଦିର ଭିତରେ ଥିବା କିଛି ଭୋଗ ଦୋକାନକୁ ବାହାର କରିବାକୁ ଏଏସ୍ଆଇ ମଧ୍ୟ ମନ୍ଦିର ପ୍ରଶାସନକୁ ଚିଠି ଲେଖିଛି।
ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେଲା ସିଂହଦ୍ବାରର ଏହି ମୁଖ୍ୟ କବାଟ ଦୋହଲୁଛି। ତେଣୁ ନୂଆ କବାଟ ଲଗାଇବାକୁ ବହୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଏଏସ୍ଆଇ ଏଭିତରେ ବନ ଉନୟନ ନିଗମରୁ ଶାଗୁଆନ୍ କାଠ ଆଣି ନୂଆ କବାଟ ନିର୍ମାଣ କାମ ଶେଷ କରିଛି। ୧୫ଫୁଟ୍ ଲମ୍ବ ଓ ୫ ଫୁଟ୍ ଚଉଡ଼ାରେ କବାଟ ତିଆରି ହୋଇଛି ଏବଂ ୮୨ ଘନଫୁଟ ଶାଗୁଆନ୍ କାଠ ଲାଗିଛି। ପ୍ରଥମେ ପରୀକ୍ଷାମୂଳକ ଭାବେ କବାଟ ଝୁଲାଇଦିଆଯିବ। ସ୍ବତନ୍ତ୍ର କବ୍ଜା ନିର୍ମାଣ କରାଯାଇଛି ଏବଂ ଆବଶ୍ୟକ ହେଲେ କବାଟର ଓଜନକୁ ଦେଖି ବଡ଼ କବ୍ଜା ଲାଗିବ ବୋଲି ସ୍ଥିର କରାଯାଇଛି।