
ପୁରୀ: ଆଜି ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ନୀଳାଦ୍ରି ଭକ୍ତ ନିବାସ ପରିସରରେ ପୂର୍ବାହ୍ନ ସାଢେ ୧୦ଟାରେ ହେବାକୁ ଥିବା ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବା ସହ କାର୍ତ୍ତିକ ମାସ ନୀତିକାନ୍ତିରେ ମୋହର ଲାଗିବ। ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକର ବିବରଣୀ ଦୃଢୀକରଣ ସହ ଗତ ୨୨ ତାରିଖରେ ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଥିବା କାର୍ତ୍ତିକ ମାସ ନୀତିକାନ୍ତି ଅନୁମୋଦନ ଲାଭ କରିବ। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ପ୍ରସଙ୍ଗ ମଧ୍ୟ ବୈଠକରେ ଉପସ୍ଥାପନା ହେବ। କେଉଁଠି କେତେ ଜମି ରହିଛି, ଜମିର ସ୍ଥିତି କ’ଣ, କେଉଁ ଜମି ଅଧିଗ୍ରହଣରେ ଯାଉଛି ଏ ସବୁ ବିଷୟରେ ଆଲୋଚନା ହେବ। ସେବାୟତ ପରିବାରର ପିଲାଙ୍କ ପାଠପଢା ଲାଗି ଆଦର୍ଶ ଗୁରୁକୂଳ ଏବଂ ସେବକ ବାସଗୃହ ନେଇ ବୈଠକରେ ତର୍ଜମା ହେବ। ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ବିର୍ଲା ଫାଉଣ୍ଡେଶନ ସହ ଏମ୍ଓୟୁ ଏବଂ ସେବକଙ୍କ ପାଇଁ ବାସଗୃହ ନିର୍ମାଣ ନେଇ କ’ଣ ପ୍ରକ୍ରିୟା ଚାଲିଛି ତା’ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏହାବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଏନଏମଏ ଦେଇଥିବା ଏନଓସି ଏବଂ ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ନେଇ ହେବ ଆଲୋଚନା। କେଉଁ ଜାଗାରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ କୋଠା ପାଇଁ ଏନଏମ୍ଏର ସୁପାରିଶକୁ ମନ୍ଦିର ପ୍ରଶାସନ ବିରୋଧ କରିଛି। ୭.୫ ମିଟର ଉଚ୍ଚତା ମଧ୍ୟରେ କୋଠା ନିର୍ମାଣ କରିବାକୁ ସୁପାରିଶ କରାଯାଇଥିବାରୁ ଏହାକୁ ବିରୋଧ କରିଥିବାରୁ ପରିଚାଳନା କମିଟି ବୈଠକରେ ଏହା ଉପରେ ଆଲୋଚନା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ରକ୍ତଭଣ୍ଡାର ଗୃହ ମରାମତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି କୁହାଯାଉଛି।