ଆଜି ବାଲିଯାତ୍ରାର ଦ୍ୱିତୀୟ ଦିନ

ଆମ ଓଡ଼ିଆମାନେ ବାରମାସରେ ତେର ପର୍ବ ପାଳନ କରିଥାନ୍ତି। ସେହିପରି ବାଲିଯାତ୍ରା ମଧ୍ୟ (ଡଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ ଓଡ଼ିଆ ପର୍ବ। ତେବେ ଆଜି ହେଉଛି ଏହି ବାଲିଯାତ୍ରାର ଦ୍ୱିତୀୟ ଦିନ। ଏହି ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା। ବାଲିଯାତ୍ରା ଏପରି ଏକ ଗଣ ମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା। ଆଧୁନିକ ଓଡ଼ିଶା ହେଉଛି ଏସବୁର ପରିବର୍ତ୍ତିତ ରୂପ। ଏହି ଯାତ୍ରା କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ। ପୂର୍ବରୁ ସାଧବ ପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ। ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ। କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମାରୁ ଏହି ଯାତ୍ରା ଆରମ୍ଭ ହୋଇଥାଏ। ଏହି ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେ ପକାଇଥାନ୍ତି।