ପୂର୍ବତଟ ରେଳପଥ ସବୁଠୁ ଅଧିକ ଲାଭ ରେଳ ଜୋନ୍

ପୂର୍ବତଟ ରେଳପଥ ହେଉଛି ରେଳବାଇର ସର୍ବାଧିକ ଲାଭ କରୁଥିବା ରେଳ ଜୋନ୍। ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୧୧,୭୦୩ କୋଟି ଟଙ୍କା ଲାଭ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ରେଳବାଇର ସାତଟି ଜୋନ୍କୁ ବାଦ ଦେଲେ ଅନ୍ୟଗୁଡ଼ିକ କ୍ଷତିରେ ଚାଲୁଛି। ପୂର୍ବତଟ ରେଳପଥ ବ୍ୟତୀତ ପୂର୍ବ କେନ୍ଦ୍ରୀୟ ରେଳପଥ, ପଶ୍ଚିମତଟ ରେଳପଥ, ପଶ୍ଚିମ କେନ୍ଦ୍ରୀୟ ରେଳପଥ, ଦକ୍ଷିଣ ପୂର୍ବତଟ ରେଳପଥ, ଉତ୍ତର କେନ୍ଦ୍ରୀୟ ରେଳପଥ, ଦକ୍ଷିଣ ପୂର୍ବ ରେଳପଥ ଓ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ରହିଛି। ପୂର୍ବ ରେଳପଥ ସର୍ବାଧିକ ୬୮୦୩ କୋଟି ଟଙ୍କାର କ୍ଷତି ସହିଥିବା ୱିଣ୍ଟୱେଲ୍ଥ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଦାବି କରାଯାଇଛି। ସର୍ବଭାରତୀୟ ସ୍ତରରେ ରେଳବାଇର ମୋଟ ରାଜସ୍ବରେ ମାଲ ପରିବହନର ଭାଗ ସର୍ବାଧିକ ୬୮% ଥିବା ବେଳେ ଯାତ୍ରୀ ସେବାରୁ ୨୬% ରାଜସ୍ବ ଆସୁଛି। ଅବଶିଷ୍ଟ ୬% ଆୟ ଅନ୍ୟାନ୍ୟ ଉତ୍ସରୁ ହେଉଛି। ରେଳବାଇର ମାଲ ପରିବହନରୁ ହେଉଥିବା ଆୟରେ କୋଇଲାର ଭାଗ ସର୍ବାଧିକ ୫୧ ପ୍ରତିଶତ ରହିଛି। ଏହା ପଛକୁ ରହିଛି, ସାର ଓ ପେଟ୍ରୋଲ (୮%), ସିମେଣ୍ଟ (୮%), ଲୁହାପଥର (୭%), ଖାଦ୍ୟଶସ୍ୟ (୭%), ଇସ୍ପାତ (୬%) ଓ କଣ୍ଟେନର (୪%)। ବିଶ୍ଲେଷଣରୁ ଜଣାପଡ଼ିଛି ଯେ ଯାତ୍ରୀ ତୁଳନାରେ ମାଲ ପରିବହନରେ କିଲୋମିଟର ପିଛା ରାଜସ୍ବ ଅଧିକ ରହୁଛି। ତେଣୁ ଯେଉଁ ଅଞ୍ଚଳରେ ଅଧିକ କୋଇଲା ଖଣି ସେଠାରେ ରେଳବାଇର ରାଜସ୍ବ ଅଧିକ ରହୁଛି।