ଓଡ଼ିଶା

ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ପ୍ରସିଦ୍ଧ ଲେଖିକା, ଚଳଚ୍ଚିତ୍ର ନିର୍ମାତା  ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟା । ନୂଆଦିଲ୍ଲୀର ଲୋଧି ରୋଡସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କର ଏକମାତ୍ର ପୁତ୍ର  ଆଦିତ୍ୟ ସିଂ ମେହେଟା ମା’ଙ୍କୁ ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଲୋଧି ରୋଡସ୍ଥିତ ଶ୍ମଶାନରେ ଉପସ୍ଥିତ ଥିଲେ। ଏହି ଅବସରରେ ଗୀତାଙ୍କ ଅନ୍ୟ ନିକଟ ସମ୍ପର୍କୀୟମାନଙ୍କ ସମେତ ସାଂସଦ ପିନାକ ମିଶ୍ର, ମାନସ ମଙ୍ଗରାଜ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରମୁଖଙ୍କୁ ଶ୍ମଶାନ ଘାଟରେ ଦେଖିବାକୁ ମିଳିଥିଲା।ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟାଙ୍କ ମୁତ୍ୟୁ ହୋଇଥିଲା। ଏହାପରେ ତାଙ୍କର ପାର୍ଥିବ ଶରୀରକୁ ୩, ଏ.ପି.ଜେ. କଲାମ ମାର୍ଗ ସ୍ଥିତ ତାଙ୍କର ପୈତୃକ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଶୋକାକୂଳ ପରିବେଶ ମଧ୍ୟରେ ଗୀତା ମେହେଟାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପରିବାରର ସଦସ୍ୟ, ଆତ୍ମୀୟ ସ୍ବଜନ ଓ ଅନ୍ୟ ସଂପର୍କୀୟମାନେ ପାର୍ଥିବ ଶରୀର ନିକଟରେ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଥିଲେ, ମୋ’ ବଡ଼ ଭଉଣୀ ଗୀତା ‌ମେହେଟ୍ଟାଙ୍କ ଦୁଃଖଦ ମୃତ୍ୟୁ ଯୋଗୁ ମୁଁ ଦିଲ୍ଲୀରେ ପହଞ୍ଚିଛି। ସେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଓ ଲେଖିକା ଥିଲେ। ଗୀତା ମେହେଟାଙ୍କ ମୃତ୍ୟୁରେ ଯେଉଁମାନେ ସମବେଦନା ଓ ଶୋକ ପ୍ରକାଶ କରିଛନ୍ତି ସେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Show More

Related Articles

Back to top button