ବିନା ଏତଲାରେ ସାଇବର ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଫେରିପାଇବେ ଟଙ୍କା

ଭୁବନେଶ୍ବର: ସାଇବର ଠକେଇର ସମ୍ମୁଖୀନ ହୋଇଥିବା ବ୍ୟକ୍ତିମାନେ କୌଣସି ଆଇନଗତ ଅସୁବିଧା ବିନା ବ୍ୟାଙ୍କରୁ ଅର୍ଥ ଫେରସ୍ତ ପାଇପାରିବେ। ଏଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଇଛି ।
ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରୁଛି, ଅପରାଧରେ ବ୍ୟବହୃତ ଆକାଉଣ୍ଟକୁ ବ୍ଲକ୍ କରୁଛି, ପୀଡ଼ିତଙ୍କ ଆକାଉଣ୍ଟକୁ ମଧ୍ୟ ବ୍ଲକ କରୁଛି। ପରେ ଲୁଟ୍ ଟଙ୍କା ଫେରସ୍ତ ଆଣିବା ଲାଗି ଉଦ୍ୟମ କରୁଛି। ଅଧିକାଂଶ ଘଟଣାରେ ଆକାଉଣ୍ଟରେ ଥିବା ଜମା ଟଙ୍କା ଉଠାଇବା କ୍ଷେତ୍ରରେ ପୀଡ଼ିତ ହଇରାଣ ହରକତ ହେଉଛନ୍ତି।
ତେବେ ଏଣିକି ଆଉ ଆଇନଗତ ଅସୁବିଧା ହେବ ନାହିଁ। ପୀଡ଼ିତଙ୍କ ସୁବିଧା ଲାଗି ପୁଲିସ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଉଛି। ଖୁବ୍ ଶୀଘ୍ର ଏହିଭଳି ପ୍ରସ୍ତାବ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆଇବିଆଇ)କୁ ଦେବ ପୁଲିସ।
ଅନଲାଇନ୍ ଆର୍ଥିକ ଠକେଇ ବୃଦ୍ଧି ସହିତ ସେହି ଅନୁପାତରେ ଅଭିଯୋଗ ବଢ଼ୁଛି। ଛୋଟ ମାମଲା ପଞ୍ଜୀକରଣ ସବୁବେଳେ ସମ୍ଭବ ନୁହେଁ। ଏପରି ପରିସ୍ଥିତିରେ, ପୀଡ଼ିତମାନେ ଏତଲାର ନକଲ ପାଉନାହାନ୍ତି। ବ୍ୟାଙ୍କଗୁଡ଼ିକ ଏତଲାର ନକଲ ମାଗୁଛନ୍ତି, ନଚେତ୍ ଆକାଉଣ୍ଟରେ ଥିବା ଜମା ଟଙ୍କା ଫେରସ୍ତ ହୋଇପାରୁନି।