ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥ ନିର୍ମାଣ ପ୍ରକ୍ରିୟା ଆରମ୍ଭ, ନୟାଗଡ଼ ଗସ୍ତ କଲେ ଶ୍ରୀମନ୍ଦିର ପ୍ରଶାସନର ସ୍ଵତନ୍ତ୍ର ପ୍ରତିନିଧି ଦଳ

ପୁରୀ, ୨୬/୧୨ : ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ୨୦୨୩ର ରଥ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ଅପରାହ୍ନରେ ରଥ କାଠ ଯୋଗାଡ ପାଇଁ ଶ୍ରୀମନ୍ଦିର ପ୍ରଶାସନର ସ୍ଵତନ୍ତ୍ର ପ୍ରତିନିଧି ଦଳ ନୟାଗଡ ଯାତ୍ରା କରିଛନ୍ତି। ୨୭ ତାରିଖ ସକାଳେ ବଦମୁଲ ସ୍ଥିତ ମା ‘ ବଡରାଉଳ ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା କରାଯିବ।
ଆଜି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ବରେ ଭୋଇ ସର୍ଦ୍ଦାର ରବି ଭୋଇ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର ମାଳ ମାହାର୍ଦ୍ଦ, ଶ୍ରିଫଳ ଆଦି ପୂଜା ସାମଗ୍ରୀ ସାଙ୍ଗରେ ନେଇ ସନ୍ଧ୍ୟାରେ ନୟାଗଡରେ ପହଞ୍ଚିଛନ୍ତି। ରଥ କୋଡ୍ ଅନୁସାରେ ରଥ ତ୍ରୟର ନିର୍ମାଣ ପାଇଁ ୮୬୫ ଖଣ୍ତ କାଠ ଆବଶ୍ୟକ ହୋଇଥାଏ। ଢଉରା, ଫାଶୀ ଓ ସିମିଲି ଆଦି କାଠରେ ରଥ ତିଆରି ହୁଏ। ଏଥି ସହ ଆଉ ଶହେ ଖଣ୍ଡ କଞ୍ଚା କାଠ ଦରକାର୍ ହୁଏ। ୨୦୨୨ ମସିହାରୁ ୧୧୮ ଖଣ୍ତ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଚ୍ଛିତ ରହିଛି। ଆଉ ୭୪୭ କାଠ ବନବିଭାଗ ଯୋଗାଇବ। ସେଥିରୁ ବଡ଼ଦାଣ୍ଡ ରଥ ଖଳାକୁ ୩୪୧ ଖଣ୍ତ କାଠ ପହଞ୍ଚିବାକୁ ଥିବାବେଳେ ୪୦୬ କାଠ କଟକ ଖପୁରିଆ ସ୍ଥିତ କରତକଳକୁ ଯିବ ବୋଲି ତତ୍ତ୍ୱାବଧାରକ ଶ୍ରୀ ମେକାପ କହିଛନ୍ତି।