ରୋଗୀଙ୍କୁ ମିଳିଲେନି ବ୍ଲଡ ଡୋନର, ନିଜେ ବ୍ଲଡ ଡୋନେଟ କଲେ ଡାକ୍ତର

ଡେରାଡୁନ: ଡାକ୍ତରଙ୍କୁ ଭଗବାନଙ୍କ ଅବତାର ବୋଲି କୁହାଯାଏ। ରୋଗୀକୁ ପୁନଃଜନ୍ମ ଦେଇଥାନ୍ତି ଡାକ୍ତର । ହେଲେ ଏବେ ଡାକ୍ତର-ରୋଗୀ ସମ୍ପର୍କ ମଧ୍ୟରେ ତିକ୍ତତା ଦେଖାଯାଉଥିବା ବେଳେ ମରି ଯାଉଛି ମାନବିକତା । ହେଲେ ଏଥିରେ ବ୍ୟତିକ୍ରମ ହୋଇଛନ୍ତି ଡୁନ୍ ସରକାରୀ ମେଡିକାଲ କଲେଜର ଯୁବ ଡାକ୍ତର ଶଶାଙ୍କ ସିଂ ।
ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ବ୍ଲଡ ଡୋନର ମିଳିଲେନି ବୋଲି ରୋଗୀଙ୍କୁ ନିଜେ ବ୍ଲଡ ଡୋନେଟ କଲେ ଡାକ୍ତର । ଏହାପରେ ଓଟିକୁ ଯାଇ ରୋଗୀଙ୍କ ଅପରେସନ ବି କରିଛନ୍ତି। ଏହି ଡାକ୍ତରଙ୍କୁ ଏବେ ସୋଶିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି।
ସୂଚନା ଅନୁସାରେ, ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଶରୀରର କାନ୍ଧ, ହାତ, ଜଂଘ ଆଦିର ହାଡ଼ ଭାଙ୍ଗି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡୁନ୍ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ଅପରେସନ କରାଯିବାକୁ ସ୍ଥିର କରି ବ୍ଲଡ ଯୋଗାଡ଼ କରିବାକୁ କହିଥିଲେ ଡାକ୍ତର ଶଶାଙ୍କ ସିଂ। ମାତ୍ର ବ୍ଲଡ ଡୋନେଟ କରିବାରେ ତାଙ୍କ ପରିବାର ସଦସ୍ୟ ଏଥିରେ ବିଫଳ ହେଲେ।
ଫଳରେ ଅପରେସନ ପାଇଁ ନିର୍ଦ୍ଧାରିତ ସମୟ ସୁଦ୍ଧା ବ୍ଲଡ ଯୋଗାଡ଼ କରି ପାରି ନ ଥିବା ପରିବାର ସଦସ୍ୟଙ୍କ ଅସହାୟତାକୁ ବୁଝି ପାରିଥିଲେ ଡାକ୍ତର । ତେଣୁ ଓଟିକୁ ଯିବା ପୂର୍ବରୁ ସେ ନିଜେ ରକ୍ତଦାନ କରିଥିଲେ। ଏହାପରେ ଓଟିକୁ ଯାଇ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର ବି କଲେ। ସୋଶିଆଲ ମିଡିଆରେ ଏହି ଖବର ପ୍ରଚାରିତ ହେଉଥିବା ବେଳେ ଲୋକେ ଡାକ୍ତରଙ୍କର ଖୁବ୍ ପ୍ରଶଂସା କରୁଛନ୍ତି।