
ଜୟପୁର : ପରୀକ୍ଷା ସରିବା ପରେ ମନ ଖୁସିରେ ଘରକୁ ଫେରିଥିଲେ ଛାତ୍ର। କିଛି ସମୟ ପରେ ଛତ୍ର ଜଣକ ଛାତ ଉପରକୁ ଯାଇଥିଲେ। ଏହାପରେ ଛାତ୍ରଜଣକ ତଳକୁ ନ ଆସିବାରୁ ପରିବାର ଲୋକେ ଛାତକୁ ଯାଇ ପିଲାଟି ଗୁରୁତର ହୋଇ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପିଲାଟିକୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କଲେ। ଏପରି ଅସ୍ୱାଭାବିକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଜୟପୁରରେ। ମୃତକ ହେଲେ ଜୟପୁର ପାରାବେଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସପ୍ତମ ଶ୍ରେଣୀର ଛାତ୍ର ଶିବାଶିଷ ନାୟକ । ସୂଚନା ଅନୁସାରେ, ଗତକାଲି ଷାଣ୍ମାସିକ ପରୀକ୍ଷାର ଶେଷ ଦିନ ଥିବାରୁ ଶିବାଶିଷ ପରୀକ୍ଷା ଦେଇ ଘରକୁ ଫେରିଥିଲେ। ଏହାପରେ ସେ ଛାତ ଉପରକୁ ଚାଲି ଯାଇଥିଲେ। କିଛି ସମୟ ପରେ ତାଙ୍କ ମା’ ଓ ଭଉଣୀ ଛାତକୁ ଯାଇ ଦେଖିଲା ବେଳକୁ ଶିବାଶିଷ ସେଠାରେ ଅଚେତ ଅବସ୍ଥାରେ ପଡ଼ି ରହିଥିବା ବେଳେ ତାଙ୍କ ପାଟି ଓ ମୁହଁରୁ ଲାଳ ବାହାରୁଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ତାଙ୍କୁ ଜୟପୁର ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଯାଇଛି। ଶିବାଶିଷଙ୍କ ବାପା ଗଦାଧର ନାୟକଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ହେଲା ପଶ୍ରବେଡାଠାରେ ଥିବା ଦଶହରା ପଡ଼ିଆରେ ରହୁଥିବା କିଛି ଅସାମାଜିକ ଲୋକ ତାଙ୍କ ନାବାଳକ ପୁଅକୁ ହଜାରେ ଟଙ୍କା ମାଗୁଥିଲେ। ଏପରିକି ଘରେ କାହାକୁ କହିଲେ ବା ପୁଲିସ୍କୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏପରିକି ପୁଅ ଡରିଯାଇ ଗତକାଲି ପକେଟରୁ ହଜାରେ ଟଙ୍କା ଚୋରି କରି ନେଇଥିଲା ବୋଲି କହିଛନ୍ତି ଶିବାଶିଷ । ତେବେ କେଉଁ ପରିସ୍ଥିତିରେ ପିଲାଟିର ମୃତ୍ୟୁ ହେଲା ସେକଥା ଏଯାଏ ଜଣାପଡ଼ୁନି । ଖବର ପାଇବା ପରେ ଟାଉନ ଥାନା ପୁଲିସ ମେଡ଼ିକାଲରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ଏପଟେ ଖବରପାଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅଭିଭାବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶୋକପ୍ରକାଶ କରିଛନ୍ତି ।