
ନୂଆଦିଲ୍ଲୀ: ଯାହା ଶୁଣାହେଉଥିଲା ଠିକ୍ ତାହା ହିଁ ଘଟିଲା। ବିଜେପିରେ ସାମିଲ ହେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ। ଏଥିସହ ନିଜ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ବିଲୀନ କରିଛନ୍ତି କ୍ୟାପ୍ଟେନ । ପଞ୍ଜାବ ନିର୍ବାଚନ ପୂର୍ବରୁ ଅମରିନ୍ଦର କଂଗ୍ରେସ ଛାଡ଼ି ନୂଆଦଳ ଗଠନ କରିଥିଲେ। ଆଜି ବିଜେପି ନେତା ତଥା ଆଇନମନ୍ତ୍ରୀ କିରଣ ରିଜିଜ୍ଜୁ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ କ୍ୟାପ୍ଟେନ୍ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ଯୋଗ ଦେଇ ସେ ଖୁସିଥିବା କ୍ୟାପ୍ଟେନ କହିଛନ୍ତି। ଲଣ୍ଡନରେ ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ଭାରତ ଫେରିଥିବା ଅମରିନ୍ଦର ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକାଧିକ ଥର ଭେଟିଥିଲେ । ଏହାକୁ ନେଇ ବିଜେପିରେ ତାଙ୍କର ମିଶ୍ରଣକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଗତ ବର୍ଷ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା ।ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିଲେ । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ମନୋମାଳିନ୍ୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ।