ଇସ୍ତଫା ଦେଲେ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା

ଶ୍ରୀନଗର: କଂଗ୍ରେସକୁ ଝଟ୍କା ପରେ ଝଟକା। ଧୀରେ ଧୀରେ ହାତ ଛାଡୁଛନ୍ତି ଜଣଙ୍କ ପରେ ଜଣେ କଂଗ୍ରେସ ନେତା। ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ପରେ ଜଣକ ପରେ ଜଣେ ନେତା କଂଗ୍ରେସର ହାତ ଛାଡୁଛନ୍ତି। ଏହି କ୍ରମରେ ଇସ୍ତଫା ଦେଇଛନ୍ତି ଜମ୍ମୁକଶ୍ମୀରର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଶର୍ମା। ସେ ଶନିବାର ହାଇକମାଣ୍ଡଙ୍କ ପାଖକୁ ଏକ ଚିଠି ଲେଖି ନିଜ ଇସ୍ତଫା ଦେଇଥିବା ସୂଚନାମିଳିଛି। ଅଲ ଇଣ୍ଡିଆ କଂଗ୍ରେସ କମିଟିର ଜାତୀୟ ସଂଯୋଜକ ‘ବିଚାର ବିଭାଗ’ ଏବଂ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ଜଣେ ସଦସ୍ୟ କହିଛନ୍ତି ଯେ “ବର୍ତ୍ତମାନର ପରିସ୍ଥିତି ଏବଂ ଅପରିହାର୍ଯ୍ୟ ପରିସ୍ଥିତି” କାରଣରୁ ସେମାନେ ଏହି ମୁସକିଲ୍ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ କଶ୍ମୀରର ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ୮ ଜଣ ପୂର୍ବତନ ମନ୍ତ୍ରୀ, ଜଣେ ପୂର୍ବତନ ସାଂସଦ, ୯ ଜଣ ବିଧାୟକ ଏବଂ ବହୁ ସଂଖ୍ୟକ ପଞ୍ଚାୟତ ରାଜ ସଂସ୍ଥାର ସଦସ୍ୟ, ପୌରପାଳିକା ପରିଷଦ ଏବଂ ତୃଣମୂଳ ସ୍ତରର କର୍ମଚାରୀଙ୍କ ଇସ୍ତଫା ପରେ ଅଶୋକ ଶର୍ମା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଅଶୋକ ଶର୍ମା ରଜୌରୀ ଜିଲ୍ଲାର କାଲାକୋଟ ନିର୍ବାଚନମଣ୍ଡଳୀରୁ ୧୯୯୬ରେ ବିଧାନସଭା ନିର୍ବାଚନ ଜିତିଥିଲେ। ସେ କହିଛନ୍ତି, ‘ମୁଁ ମୋର ଦଳକୁ ହୃଦୟରୁ ଭଲ ପାଉଥିଲି ଏବଂ ଏହାକୁ ଦଶନ୍ଧି ଧରି ତୃଣମୂଳ ସ୍ତରରେ ନିର୍ମାଣ କରିବାକୁ ସଂଗ୍ରାମ କରିଥିଲି। ୭୩ ବର୍ଷିୟ ଗୁଲାମ ନବୀ ଆଜାଦ ଅଗଷ୍ଟ ୨୬ ତାରିଖରେ କଂଗ୍ରେସ କାନି ଛାଡିଥିଲେ। ସେ ଇସ୍ତଫା ଦେବା ସହ କଂଗ୍ରେସ ସହ ତାଙ୍କର ପାଞ୍ଚ ଦଶନ୍ଧିର ଯାତ୍ରା ଉପରେ ପୂର୍ଣ୍ଣଛେଦ ପକାଇଥିଲେ। ସେ ଦଳର ସମସ୍ତ ପରାମର୍ଶଦାତା ତନ୍ତ୍ରକୁ “ଭାଙ୍ଗିବା” ପଛରେ ରାହୁଲ ଗାନ୍ଧିଙ୍କୁ ଦାୟୀ କରିଥିଲେ।