ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ରାହୁଲଙ୍କୁ ଟାର୍ଗେଟ କରି ଗୁଲାମ କହିଲେ ”ଏମିତି କଥା”

ନୂଆଦିଲ୍ଲୀ: କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କ ତୁଟାଇଥିବା ଗୁଲାମ ନବୀ ଆଜାଦ ପୁଣିଥରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ପ୍ରଚାର ଆରମ୍ଭ କରିଥିଲେ। ଏଥିସହ ଦଳର ସବୁ ସଦସ୍ୟଙ୍କୁ ନିଜର ପ୍ରଚାର ବେଳେ ଏହି ସ୍ଲୋଗାନ ଦେବାକୁ ଚାପ ପକାଇଥିଲେ ରହୁଲ। ରାହୁଲଙ୍କ ଏପରି ପ୍ରଚାର ଅଭିଯାନ କଂଗ୍ରେସର ଭେଟରାନମାନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା ବୋଲି ଗୁଲାମ ଆଜି କହିଛନ୍ତି। ୨୦୧୯ରେ କଂଗ୍ରେସ ଲୋକସଭା ନିର୍ବାଚନ ହାରିବା ସହ ବିଜେପି କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତା ହାସଲ କରିଥିଲା। ଏହାପରେ କଂଗ୍ରେସ ନେତାମାନଙ୍କ ସହ ରାହୁଲ ଗାନ୍ଧି ଘନଘନ ବୈଠକ କରିଥିଲେ ଓ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହି ବୈଠକରେ ରାହୁଲ ଗାନ୍ଧି ଦଳର ବରିଷ୍ଠ ନେତାଙ୍କୁ ଟାର୍ଗେଟ କରିଥିଲେ। ଦଳର କିଛି ବରିଷ୍ଠ ନେତା ତାଙ୍କୁ ବିରୋଧ କରୁଥିବାରୁ ଅଧ୍ୟକ୍ଷ ପଦରେ ରହିବା ତାଙ୍କ ପାଇଁ ଠିକ୍ ନୁହେଁ ବୋଲି ରାହୁଲ ଗାନ୍ଧି କହିଥିଲେ। ଚୌକିଦାର ଚୋର ହୈ ପ୍ରଚାରକୁ କେହି ସମର୍ଥନ କରୁନଥିବା କଥା କହି ରାହୁଲ ଗାନ୍ଧି ପଦ ଛାଡ଼ିଥିଲେ ବୋଲି ଆଜାଦ କହିଛନ୍ତି। ଆଜାଦଙ୍କ ମତରେ ରାହୁଲ ଗାନ୍ଧି ବୈଠକ ବେଳେ କେଉଁମାନେ ଚୌକିଦାର ଚୋର ହୈ ସ୍ଲୋଗାନ ଦେଇଥିଲେ ସେମାନଙ୍କୁ ହାତ ଉଠାଇବାକୁ କହିଥିଲେ। ଏହି ସମୟରେ ମନମୋହନ ସିଂହ, ଏକେ ଆଣ୍ଟୋନୀ, ପି ଚିଦାମ୍ବରମ ଓ ଆଜାଦଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ଆଜାଦ କହିଛନ୍ତି, “ରାହୁଲ ଗାନ୍ଧି ହାତ ଉଠାଇବାକୁ କହିବା ଆଶ୍ଚର୍ଯ୍ୟଜନକ ଥିଲା। ମୁଁ ମୋ ଚୌକିରେ ବସି ପୂରା ସ୍ତବ୍ଧ ହୋଇଯାଇଥିଲି। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ପିଭି ନରସୀମା ରାଓଙ୍କ ବେଳେ ମନ୍ତ୍ରୀ ହୋଇଥିବା ବରିଷ୍ଠ ନେତା ଓ ମୁଖ୍ୟମନ୍ତ୍ରୀମାନେ ସର୍ବସାଧାରଣରେ ଏପରି ଶବ୍ଦ ବ୍ୟବହାର କରିବେ ବୋଲି ଆପଣ କେମିତି ଆଶା ରଖୁଛନ୍ତି? ଆପଣ ଜଣଙ୍କୁ ବିରୋଧ କରିପାରିବେ। କିନ୍ତୁ ବ୍ୟକ୍ତିଗତ ଭାବେ କେବେ ହେଲେ ସମାଲୋଚନା କରିପାରିବେ ନାହିଁ।

ବିରୋଧୀଙ୍କ ବିପକ୍ଷରେ ଏପରି ଶବ୍ଦ ପ୍ରୟୋଗ କରିବା ତାଙ୍କ ପକ୍ଷରେ ଆଦୌ ସମ୍ଭବ ନଥିବା ବୋଲି ଆଜାଦ କହିଛନ୍ତି। ସେ କହିଛନ୍ତି, “ଆମେ ଆମର ରାଜନୀତିକ ଶିକ୍ଷା ଇନ୍ଦିରା ଗାନ୍ଧିଙ୍କ ଠାରୁ ପାଇଛୁ। ମୁଁ ଯେତେବେଳେ ରାଷ୍ଟ୍ରମନ୍ତ୍ରୀ ଥିଲି ସେତେବେଳେ ଇନ୍ଦିରା ଗାନ୍ଧି ମୋତେ ଓ ଏମଏଲ ଫୋତେଦରଙ୍କୁ ଡାକୁଥିଲେ। ଆମକୁ ଅଟଳ ବିହାରୀ ବାଜପେୟୀଙ୍କ ସହ ମିଟିଂ କରିବାକୁ କହୁଥିଲେ। ଆପଣ ନେତା ଓ ନେତାଙ୍କ ମଧ୍ୟରେ ପାର୍ଥକ୍ୟ ଦେଖନ୍ତୁ। ଇନ୍ଦିରା ଗାନ୍ଧି କହୁଥିଲେ ଯେ ବାଜପେୟୀ ମଧ୍ୟ ଜଣେ ରାଜନେତା। ସେ ମଧ୍ୟ କିଛି କାମ ହେଉ ବୋଲି ଚାହାନ୍ତି। ସେ ମୋ ସହ କଥା ହେବାକୁ ଚାହୁଁ ନଥିବେ। ତେଣୁ ତୁମେମାନେ(ଆଜାଦ ଓ ଏମଏଲ) ତାଙ୍କୁ ପଚାର ବୋଲି ଇନ୍ଦିରା ଗାନ୍ଧି କହୁଥିଲେ। ଆମେ ବରିଷ୍ଠ ନେତାଙ୍କୁ ସମ୍ମାନ ଦେବାର ଶିକ୍ଷା ତାଙ୍କ ଠାରୁ ପାଇଛୁ। ସେହିପରି ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦେବା ଦରକାର। ଆମେ ସର୍ବସାଧାରଣରେ ପ୍ରଧାନମନ୍ତ୍ରୀ ଚୋର ହୈ କହିବା କଥା ଶିଖିନୁ। ଆପଣମାନେ ମୋଦିଙ୍କୁ ଟାର୍ଗେଟ କରିପାରିବେ। ହେଲେ ଏପରି ବ୍ୟକ୍ତିଗତ ସ୍ତରକୁ ଯାଇ ସମାଲୋଚନା କରିପାରିବେ ନାହିଁ। ଏପରି ଶବ୍ଦ ବରିଷ୍ଠ କ୍ୟାବିନେଟ ସଦସ୍ୟମାନେ ବ୍ୟବହାର କରିପାରିବେ? ରାହୁଲ ଗାନ୍ଧି କେମିତି ଅଧ୍ୟାଦେଶ ପ୍ରସ୍ତୁତ ହୁଏ ଓ ଏହା କେମିତି ପାରିତ ହୁଏ, ସେକଥା ଜାଣିଛନ୍ତି କି ନାହିଁ ବୋଲି ମୋର ସନ୍ଦେହ ବୋଲି କହିଛନ୍ତି ନାଜାଦ।

Show More

Related Articles

Back to top button