Breaking PLUSଜୀବନଚର୍ଯ୍ୟାଦେଶ ବିଦେଶସ୍ୱାସ୍ଥ୍ୟ

ମାନସିକ ସ୍ୱାସ୍ଥ୍ୟ ଉପରେ ମହାମାରୀର କୁପ୍ରଭାବ

କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପଡ଼ିଛି ଭୟଙ୍କର ପ୍ରଭାବ । ସଂକ୍ରମିତ ଲୋକ ତ ସ୍ବାଭାବିକ ଭାବରେ ଅବସାଦଗ୍ରସ୍ତ ହେଉଛନ୍ତି, ପକ୍ଷାନ୍ତରେ ଯେଉଁମାନେ ସଂକ୍ରମିତ ହୋଇ ନାହାନ୍ତି ସେମାନେ ମଧ୍ୟ ଚିନ୍ତା, ଚାପ ଓ ଅବସାଦର ଶିକାର ହେଉଛନ୍ତି

କରୋନା ମହାମାରୀ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟକୁ ଖରାପ କରିଦେଇଛି । ଦେଶରେ ମାନସିକସ୍ତରରେ ଅବସାଦଗ୍ରସ୍ତ ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। କରୋନାରେ ଦିନକୁ ଦିନ ଲୋକଙ୍କ ମୃତ୍ୟୁ ସଂଖ୍ୟା ସ୍ବାଭାବିକ ଭାବରେ ଲୋକଙ୍କୁ ମାନସିକ ଅବସାଦ ମଧ୍ୟକୁ ଟାଣି ନେଉଛି । ଏହି ସମୟରେ ନିଜ ଜୀବନ ଜୀବିକାକୁ ନେଇ ମଧ୍ୟକିଛି ଲୋକ ଚିନ୍ତିତ ଅଛନ୍ତି । ଏହି କାରଣରୁ ମାନସିକ ରୋଗ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ଗବେଷକମାନେ କହିଛନ୍ତି ।ଦିଲ୍ଲୀ ଏମ୍ସର ମାନସିକ ରୋଗ ବିଭାଗ ପ୍ରଫେସର ଡକ୍ଟର ରାଜେଶ ସାଗର କହିଛନ୍ତି ଯେ ଦେଶରେ ମାନସିକ ଅବସାଦଗ୍ରସ୍ତ ଲୋକଙ୍କ ସଂଖ୍ୟା ପ୍ରାକ୍ କରୋନା କାଳରେ ୩.୫%ରୁ ୫% ମଧ୍ୟରେ ରହିଥିଲା । ମାତ୍ର ବର୍ତମାନ ଏହି ସଂଖ୍ୟା ୧୦%କୁ ବୃଦ୍ଧି ପାଇଛି । ଏହା ସହ ସ୍ନାୟବିକ ରୋଗୀଙ୍କ ସଂଖ୍ୟା ମଧ୍ୟ ୨ରୁ ୩ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଲୋକମାନେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବା ଆବଶ୍ୟକ। ନ ହେଲେ ଏହାଦ୍ବାରା ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏପରି ପରିସ୍ଥିତିରେ ଯଦି କାହାର ମାନସିକ ସମସ୍ୟା ଥାଏ, ସେ ତୁରନ୍ତ ଡାକ୍ତରଙ୍କୁ ଦେଖିବା ଉଚିତ୍ । ଠିକ୍ ସମୟରେ ଚିକିତ୍ସା କରାଗଲେ ଆତ୍ମହତ୍ୟା ଘଟଣାକୁ ରୋକାଯାଇପାରିବ ବୋଲି ଡ଼. ସାଗର କହିଛନ୍ତି ।

ଅନୁରୂପ ଭାବରେ ଦିଲ୍ଲୀ ଆରଏମଏଲ ହସ୍ପିଟାଲର ମାନସିକ ରୋଗ ବିଭାଗର ବିଶେଷଜ୍ଞ ଡକ୍ଟର ଆର.ପି ବେନିୱାଲ କହିଛନ୍ତି ଯେ ଲକଡାଉନ୍ ସମୟରେ ଭାରତୀୟ ସାଇକ୍ରେଟ୍ରିକ୍ ସୋସାଇଟି ୧୬୮୫ ଜଣଙ୍କ ଉପରେ ଅନଲାଇନ୍ ସର୍ଭେ କରିଥିଲା। ଯେଉଁଥିରେ ୩୮.୨% ଲୋକ ସ୍ନାୟୁ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଥିଲା। ଏଥି ସହିତ ୧୦.୫% ଲୋକ ଉଦାସୀନତାର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ୭୪% ଲୋକଙ୍କ ମଧ୍ୟରେ ମଧ୍ୟମସ୍ତରର ଉଦାସୀନତା ଦେଖିବାକୁ ମିଳିଥିଲା। କରୋନାଜନିତ ଭୟ, ନିଯୁକ୍ତି ହରାଇବା ଓ ଆର୍ଥିକ ସମସ୍ୟାର ଆଶଙ୍କା ଏହାର ମୁଖ୍ୟ କାରଣ ବୋଲି ଡ଼ା. ବେନିୱାଲ କହିଛନ୍ତି ।ବର୍ତ୍ତମାନ କରୋନା ଭୟ ବହୁତ ମାତ୍ରାରେ ହ୍ରାସ ପାଇଛି, କିନ୍ତୁ ମାନସିକ ସ୍ବାସ୍ଥ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଲୋକଙ୍କ ମଧ୍ୟରେ ସ୍ନାୟୁ, ଚାପ, ମାନସିକ ଅବସାଦସମସ୍ୟା ମଧ୍ୟ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ମାନସିକ ସ୍ତରରେ ଶକ୍ତିଶାଳୀ ହେଲେ କରୋନା ସଂକ୍ରମଣ ଜନିତ ଭୟକୁ ଅନେକାଂଶରେ ଦୂର କରାଯାଇ ପାରିବ । କରୋନା ରୋଗୀଙ୍କ ଶ୍ୱାସକ୍ରିୟାରେ ସମସ୍ୟା ରହିଛି। ଅନେକ ରୋଗୀଙ୍କ ମଧ୍ୟରେ କେବଳ ସ୍ନାୟୁ ଜନିତ ସମସ୍ୟାରେ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦିଏ । ଏପରି କ୍ଷେତ୍ରରେ ରୋଗୀମାନେ ହୃଦଘାତର ଶିକାର ହୋଇପାରନ୍ତି । ତେଣୁ ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଡ଼. ବେନିୱାଲ କହିଛନ୍ତି ।

Show More

Related Articles

Back to top button