
ସୋର: ଅଲୋଡା ହେଲା ଦିବ୍ୟାଙ୍ଗ ଶିଶୁପୁତ୍ର । ରେଳ ଲାଇନ୍ କଣ୍ଟା ବୁଦା ମୂଳରୁ ଉଦ୍ଧାର ହେଲା ହାତ ଗୋଡ ନଥିବା ଏକ ନବଜାତ ଶିଶୁପୁତ୍ର । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅଂଚଳରେ । ଶିଶୁଟି ଦିବ୍ୟାଙ୍ଗ ହୋଇଥିବାରୁ ପରିବାର ଲୋକେ ଏପରି କାଣ୍ଡ କରିଥିବା ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ, ମୋବରକପୁର ଗ୍ରାମର ବାସନ୍ତି ବିନ୍ଧାଣୀ ହାଣ୍ଡିଆ ବିକ୍ରି କରୁଥିବା ସମୟରେ ଟ୍ରେନ୍ ଲାଇନ କଡ କଣ୍ଟାବୁଦା ମୂଳରୁ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ହଠାତ୍ ନିକଟକୁ ଯାଇ ଦେଖିବାବେଳକୁ ଦିବ୍ୟାଙ୍ଗ ନବଜାତ ଶିଶୁଟିକୁ କଣ୍ଟାବୁଦା ମୂଳେ ପଡିଥିବାର ଦେଖିଲେ ଏବଂ ସଙ୍ଗେସଙ୍ଗେ ଉଦ୍ଧାର କରି ବାସନ୍ତି ନିକଟସ୍ଥ ଜୈନିକ ବ୍ୟକ୍ତିଙ୍କ ଘରେ କ୍ଷୀର ପିଆଇ ଶିଶୁଟିକୁ ନେଇ ଆସି ନିଜ ଘରେ ରଖିଥିଲେ ।
ବାସନ୍ତି ବିନ୍ଧାଣୀ ଘରୁ ଶିଶୁକୁ ଖଇରା ଶିଶୁ ସୁରକ୍ଷା ସମିତି ଉଦ୍ଧାର କରି ସୋର ଡାକ୍ତଖାନାରେ ଚିକିତ୍ସା କରିବା ପରେ ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ନିର୍ମଳା ଶିଶୁ ଭବନରେ ଛାଡିଦିଆଯାଇଛି ।