
ବୌଦ୍ଧ: ମାଟି ଖୋଳିଲେ ମିଳୁଛି ପୁଳା ପୁଳା ରତ୍ନ ପଥର । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସଂପୂର୍ଣ୍ଣ ସତ୍ୟ ଅଟେ । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତ ଶରଧାପାଲି ଗାଁରେ । ରତ୍ନ ପଥର ଗୁଡିକ ବୋହିନେବା ପାଇଁ ଜମୁଛି ଲୋକଙ୍କ ଭିଡ ।
ମିଳିଥିବା ସୂଚନା ଅନୁଯାୟୀ, ଶ୍ରମିକମାନେ ଶରଧାପାଲି ଗାଁରେ ମନରୋଗା ଯୋଜନାରେ ବନ୍ଧ ଖନନ କରୁଥିବା ସମୟରେ କେଜି କେଜି ବିଭିନ୍ନ ପ୍ରକାର ରତ୍ନ ପଥର ଦେଖିବାକୁ ମିଳିଥିଲା । ଖବର ପ୍ରଚାରିତ ହେବା ମାତ୍ରେ ବନ୍ଧ କାମ ସ୍ଥାନରେ ଲୋକଙ୍କ ଭିଡ ଜମିବା ସହ ମାଟି ଖୋଳିବାରେ ଲାଗି ପଡିଥିଲେ । ଅନେକ ଲୋକ ବିଭିନ୍ନ ପ୍ରକାରର ରତ୍ନ ପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ଲାଭବାନ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଅଞ୍ଚଳରେ ୧୪୪ ଧାରା ଜାରି କରି ଫରେନସିକ୍ ଟିମ ଯାଞ୍ଚ ଜାରି ରଖିଛନ୍ତି ।