
କଟକ: କରୋନା ପରେ ଏବେ ଦେଶରେ ଟମାଟୋ ଫ୍ଲୁ’ ଆତଙ୍କ ସୃଷ୍ଟି କରିଛି । କେରଳ ଓ କର୍ଣ୍ଣାଟକ ପରେ ଏବେ କଟକର ବୟାଳିଶମୌଜା ଅଞ୍ଚଳରେ ଚିହ୍ନଟ ହୋଇଛି ଟମାଟୋ ଫ୍ଲୁ’ । କଟକରେ ୫ ବର୍ଷରୁ କମ୍ ୨୦ଜଣ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଶିଶୁମାନଙ୍କ ଶରୀରରେ ଲାଲ ଲାଲ ଟମାଟ ସଦୃଶ ଫୋଟକା ଭଳି ଫଳିଯାଉଥିବାବେଳେ ଜ୍ୱର ଲାଗି ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ସୂଚନା ଅନୁଯାୟୀ , କଟକର ବୟାଳିଶମୌଜା ସରିଚୁଆଁ ପଞ୍ଚାୟତର କଳପଡ଼ା, ବେଣ୍ଟକାର, କୁଳସରିଚୁଆଁ ଭଳି ପ୍ରାୟ କିଛି ଗ୍ରାମରେ ଶିଶୁଙ୍କ ଠାରେ ଟମାଟୋ ଫ୍ଲୁ’ ଲକ୍ଷଣ ପ୍ରକାଶ ପାଇଛି ଏବଂ ଚିହ୍ନଟ ହୋଇଥିବା ସମସ୍ତ ଶିଶୁ ୫ ବର୍ଷରୁ କମ୍ ଅଟନ୍ତି । ଏହି ରୋଗ ଶିଶୁଙ୍କ ବ୍ୟାତୀତ ଅନ୍ୟ କାହାରି ଠାରେ ଦେଖାଯାଇନାହିଁ । କିନ୍ତୁ ଏ ସମ୍ପର୍କରେ ପ୍ରଶାସନ ପାଖରେ କୌଣସି ସୂଚନା ନଥିବା କୁହାଯାଇଛି ।