
କାନାଡାର ଟରୋଣ୍ଟୋ ନିକଟରେ ଏକ ଟ୍ରାକ୍ଟର୍ ଟ୍ରଲିରେ ଗୋଟାଏ ଭ୍ୟାନ୍ ଧକ୍କା ଖାଇବାରୁ ୫ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଥିବା କଥା କାନଡାସ୍ଥିତ ଭାରତୀୟ ହାଇକମିସନର୍ କହିଛନ୍ତି। ଏହି ଦୁର୍ଘଟଣାରେ ସାଙ୍ଘାତିକ ଆହତ ଆଉ ୨ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ କହିବା ଅନୁସାରେ ୨୪ ବର୍ଷିୟ ହର୍ପ୍ରୀତି ସିଂହ, ୨୧ ଯଶପିନ୍ଦର୍ ସିଂହ, ୨୨ କରଣପାଲ୍ ସିଂହ, ୨୩ ବର୍ଷିୟ ମୋହିତ ଚୌହାନ୍ ଏବଂ ୨୩ ବର୍ଷିୟ ପବନ କୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେମାନେ ମଣ୍ଟ୍ରିଲ୍ ଏବଂ ଗ୍ରେଟର୍ ଟରୋଣ୍ଟୋ ଅଞ୍ଚଳରେ ପଢୁଥିଲେ। ଶନିବାର ସକାଳେ ଉକ୍ତ ଛାତ୍ରମାନେ ଗୋଟାଏ ଯାତ୍ରୀବାହୀ ଭ୍ୟାନ୍ରେ ପଶ୍ଚିମାଞ୍ଚଳକୁ ଯାଉଥିବା ବେଳେ ତାହା ଗୋଟାଏ ଟ୍ରାକ୍ଟର୍ ଟ୍ରଲି ସହ ଧକ୍କା ହୋଇଥିଲା। ପୁଲିସ କହିଛି, ଘଟଣାର ତଦନ୍ତ ଚାଲିଛି। କାହାରି ବିରୋଧରେ କୌଣସି ଅଭିଯୋଗ ଦାଏର ହୋଇନାହିଁ। ବେଲିଭାଇଲ୍ ଏବଂ ୪୦୧ ନମ୍ବର ଟ୍ରେନ୍ଟନ୍ ରାଜପଥ ନିକଟ ଏକିନ୍ସ୍ ରୋଡ୍ ଏବଂ ସେଣ୍ଟ୍ ହିଲେୟାର୍ ରୋଡ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସାରିୟା ଟୁଇଟ୍ କରିଛନ୍ତି: କାନଡାରେ ହୃଦୟ-ବିଦାରକ ଦୁଃଖଦ ଘଟଣା। ଶନିବାର ଦିନ ଟରୋଣ୍ଟୋ ନିକଟରେ ଗାଡ଼ି ଦୁର୍ଘଟଣା ଯୋଗୁଁ ୫ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏବଂ ଆଉ ୨ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ଛାତ୍ରମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା। ସହାୟତା ନିମନ୍ତେ ପୀଡ଼ିତମାନଙ୍କ ବନ୍ଧୁମାନଙ୍କ ସହିତ ଇଣ୍ଡିଆନ୍ ଟରୋଣ୍ଟୋ ଟିମ୍ ସମ୍ପର୍କ ରଖିଛନ୍ତି। ଶୋକ ବ୍ୟକ୍ତ କରି ଜାତିସଂଘସ୍ଥିତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍. ତିରୁମୂର୍ତ୍ତି କହିଛନ୍ତି, ମୃତଛାତ୍ରମାନଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି। ଗଣମାଧ୍ୟମକୁ ଓଣ୍ଟାରିଓ ପ୍ରାଦେଶିକ ପୁଲିସ କହିଛି, ଏହା ଗୋଟାଏ ଦୁଃଖଦ ଘଟଣା।