ଓଲଟିଲା ଲୁହା ପ୍ଲେଟ ବୋଝେଇ ଟ୍ରକ ୪ ଘଣ୍ଟା ଭିତରେ ଚାପି ହୋଇ ରହିଲେ ଡ୍ରାଇଭର
ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ ଘାଟି ନିକଟର ଡୁମୁରିଗୁଡା ନିକଟରେ।

ଏକ ଲୁହା ପ୍ଲେଟ ଟ୍ରକ ଭିତରେ ଚାପି ହୋଇ ରହିଯାଇଥିବା ଡ୍ରାଇଭରକୁ ଚାରି ଘଣ୍ଟା କସରତ କରିବା ପରେ ଉଦ୍ଧାର କରାଯାଇଛି । ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ ଘାଟି ନିକଟର ଡୁମୁରିଗୁଡା ନିକଟରେ। ଘଟଣା ଅନୁଯାୟୀ ଝାରସୁଗୁଡ଼ା ଠାରୁ ଲୁହା ପ୍ଲେଟ ବୋଝେଇ ଟ୍ରକ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ମନ୍ତ୍ରୀଆମ୍ବ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ତେବେ ଡ୍ରାଇଭର ବି. ମହେଶ ଟ୍ରକ୍ ଭିତରେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ଖବର ପାଇ ମନ୍ତ୍ରୀଆମ୍ବ ଠାରେ ଅବସ୍ଥାପିତ ୧୫୧ ବାଟାଲିୟନ ବିଏସଏଫ ଯବାନ ମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଭିତରେ ରହିଯାଇଥିବା ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଏଦିଗରେ ଯବାନମାନଙ୍କୁ ସହାର୍ଯ୍ୟ କରିଥିଲେ। ଘଟଣାସ୍ଥଳରେ ବୈପାରିଗୁଡା ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ସମସ୍ତ ଚେଷ୍ଟା ସତ୍ୱେ ଡ୍ରାଇଭରକୁ ଉଦ୍ଧାର କରାଯାଇ ପାରିନଥିଲା। ଶେଷରେ ଜୟପୁରସ୍ଥିତ ଅଗ୍ନିଶମ ବାହିନୀର ସହଅଗ୍ନି ସମାଧିକାରୀ କୁନୁ ନାୟକ ତାଙ୍କ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ବୈପାରିଗୁଡା ଅଗ୍ନିଶମ ବାହିନୀ ସହ ହାଇଡ୍ରଲିକ୍ କଟର ସାହାଯ୍ୟରେ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ। ଗୁରୁତର ଭାବେ ଆହତ ଡ୍ରାଇଭର ବି. ମହେଶଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେହିପରି ସାମାନ୍ୟ ଆହତ ହେଲପରଙ୍କୁ ମାଲକାନଗିରି ଜିଲ୍ଲାର ଆସିଥିବା ଆମ୍ବୁଲାନ୍ସରେ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।