
ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ପରେ ହଜାର ହଜାର ସଂଖ୍ୟାରେ ଭାରତୀୟ ସେଠାରେ ଫସି ରହିଛନ୍ତି । ଏହାରି ମଧ୍ୟରେ ନିଜ ଲୋକମାନଙ୍କୁ ଭାରତକୁ ଫେରାଇ ଆଣିବାକୁ ବଡ ଧରଣର ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟ୍ଟିନଙ୍କ ସହ ମଧ୍ୟ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନ୍ ରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ଉପରେ ମତପ୍ରକାଶ କରିଛନ୍ତି ସରକାର ।
ଏହା ପୂର୍ବରୁ ୟୁକ୍ରେନରେ ଫସିଥିବା ପ୍ରାୟ ୧୬ ହଜାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସୁରକ୍ଷା ପରିଷଦ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ଭାରତୀୟଙ୍କୁୁ ୟୁକ୍ରେନରୁ ସୁରକ୍ଷିତ ଉଦ୍ଧାର କରିବା ସହିତ ସେମାନଙ୍କୁ ଭାରତକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି । ଋଷ ଆକ୍ରମଣ ପରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ୍ ହୋଇଯାଇଥିବାରୁ ହେଙ୍ଗରୀ, ପୋଲାଣ୍ଡ, ସ୍ଲୋଭାକିୟା ଏବଂ ରୋମାନିୟା ଦେଇ ସଡକ ପଥରେ ଭାରତୀୟଙ୍କୁ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।
ୟୁକ୍ରେନରେ ମୋଟ ୨୦ ହଜାର ଭାରତୀୟ ଫସିଥିଲେ । ସେମାନଙ୍କ ମଧ୍ୟରୁ ୪ ହଜାର ଭାରତୀୟ ସୁରକ୍ଷିତ ଭାବେ ଭାରତ ଫେରିଆସିଛନ୍ତି । ହେଙ୍ଗରୀ, ପୋଲାଣ୍ଡ, ସ୍ଲୋଭାକିୟା ଏବଂ ରୋମାନିୟା ଦେଇ ସଡକ ପଥରେ ଭାରତୀୟଙ୍କୁ ଆଣିବାକୁ ସେଠିକାର ରାଜଦୂତଙ୍କ ସହ କଥାବାର୍ତ୍ତା କରୁଛନ୍ତି କେନ୍ଦ୍ର ସରକାର । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ସେହି ଦେଶଗୁଡିକ ସହ ଆଲୋଚନା ଜାରି ରଖିଛନ୍ତି । ଯେତେ ଶୀଘ୍ର ସମ୍ଭବ ଭାରତୀୟଙ୍କୁ ଯୁଦ୍ଧ ମୁହଁରୁ ଫେରାଇ ଅଣାଯିବ । ସେପଟେ ଋଷ ସେନା ୟୁକ୍ରେନକୁ ୩ ପଟୁ ଘେରି ରହିଛନ୍ତି । ଗୋଟିଏ ପେର ଗୋଟିଏ ଅଞ୍ଚଳ ୟୁକ୍ରେନ ହାତରୁ ଖସିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଘନଘନ ମିସାଇଲ ମାଡ କରୁଛି ଋଷ ସେନା । ୟୁକ୍ରେନରେ ଚାରିଆଡେ ଆତଙ୍କର ଛାୟା ଖେଳିଯାଇଛି । ଏଭଳି ପରିସ୍ଥିତିରେ ଭାରତୀୟମାନେ ସେଠି କେଉଁ ଅବସ୍ଥାରେ ଥିବେ ତାକୁ ନେଇ ଚିନ୍ତାରେ ଅଛନ୍ତି କେନ୍ଦ୍ର ସରକାର ।