ଏଠି ପ୍ରଶ୍ନ ଉଠୁଛି ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସରକାରୀ ଜମିରେ କରାଯାଉଥିବା ଶିଳ୍ପ ବିକାଶକୁ ବିରୋଧ କାହିଁକି ? ପୂର୍ବରୁ ପସ୍କୋକୁ ବିରୋଧ କରୁଥିଲେ । ଆଉ ଏବେ JSW ବିରୋଧ କରୁଛନ୍ତି । ଶିଳ୍ପ ବିକାଶକୁ ଏଭଳି ବିରୋଧ କାହିଁକି ? ଜଗତସିଂହପୁର ଢ଼ିଙ୍କିଆରେ ପ୍ରସ୍ତାବିତ JSWର ୫୫ହଜାର କୋଟିର ଇସ୍ପାତ୍ ପ୍ରକଳ୍ପ ହେଲେ ଏହା ରାଜ୍ୟର ବୃହତ୍ତର ସ୍ବାର୍ଥକୁ ପୂରଣ କରିବ । ହଜାର ହଜାର ଲୋକ ଏଥିରେ ନିଯୁକ୍ତି ପାଇବେ । ଓଡ଼ିଶାର ରାଜସ୍ବ ବୃଦ୍ଧି ହେବ । ଏସବୁ ସତ୍ବେ ଶିଳ୍ପର ବିକାଶକୁ ଏଭଳି ବିରୋଧକୁ ଦେଖିଲେ ୟା ପଛରେ କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତ ସ୍ପଷ୍ଟ ବାରି ହୋଇପଡ଼ୁଛି । ଯେଉଁ କାରଣ ପାଇଁ ଦିନେ ପସ୍କୋ ଭଳି ବଡ଼ କମ୍ପାନୀ ଓଡ଼ିଶା ଛାଡ଼ିଥିଲା ଏବେ JSW ପାଇଁ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି କରାଯାଉଛି । ମହିଳା ଓ ଛୋଟପିଲାଙ୍କୁ ଢ଼ାଲ କରାଯାଇ ଆନ୍ଦୋଳନ କରାଯାଉଛି । ଆଉ ଆଇନଶୃଙ୍ଖଳା ସ୍ଥିତି ବିଗାଡ଼ିବାକୁ ଉଦ୍ୟମ ହେଉଛି । ପୋଲିସ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଉଛି । ପୁଣି ସମବେଦନା ସାଉଣ୍ଟିବାକୁ ପ୍ରୟାସ କରାଯାଉଛି । ଯୁକ୍ତି ଦର୍ଶାଯାଉଛି ପାରଦୀପ ନିକଟ ଢ଼ିଙ୍କିଆରେ ବଡ଼ ପ୍ରକଳ୍ପ ହେଲେ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବ ।
ପାନ, ଧାନ, ମୀନ ଚାଷ ଉପରେ ନିର୍ଭର କରୁଥିବା ଲୋକେ ସେମାନଙ୍କ ଜୀବିକା ହରାଇବେ। କିନ୍ତୁ ଏଭିଳ ଯୁକ୍ତିକୁ କେମିତି ଗ୍ରହଣ କରାଯାଇପାରିବ ଯେତେବେଳେ ସରକାରୀ ଜମିକୁ ଜବରଦଖଲ କରି ଲୋକେ ପାନବରଜ କରିବେ, ଚାଷ ବାସ କରିବେ ଆଉ ଉଚ୍ଛେଦ ବେଳକୁ ସରକାରୀ ଜମି ଛାଡ଼ିଦେବା ବଦଳରେ ବିରୋଧ କରିବେ ? ଯେଉଁଠି ଜବରଦଖଲକାରୀ ପ୍ରଶାସନର ବାଟ ଓଗାଳିବେ ସେତେବେଳେ ପ୍ରଶାସନ ମଧ୍ୟ ବଳ ପ୍ରୟୋଗ କରିବାକୁ ବାଧ୍ୟ ହେବ । ଯେବେ ପାନ,ମୀନ ଓ ଧାନ ଚାଷର ନାରା ଦେଇ ସରକାରୀ ଜମିକୁ ଜବରଦଖଲକାରୀ ବର୍ଷ ବର୍ଷ ଧରି ସେମାନଙ୍କ ଆନ୍ଦୋଳନ ଜାରି ରଖିବେ, ତାହେଲେ ଶିଳ୍ପର ବିକାଶ ହେବ କେମିତି ? ଆଜିକୁ ଠିକ୍ ୧୦ବର୍ଷ ତଳେ ଠିକ୍ ଏହି ଭଳି ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଜମି ଅଧିଗ୍ରହଣରେ ବିଳମ୍ବ ହୋଇଥିଲା ଆଉ ଦେଶର ସର୍ବ ବୃହତ ବିଦେଶୀ ପୁଞ୍ଜି ନିବେଶ ପାଇଁ ଆସିଥିବା ପସ୍କୋ ପକଳ୍ପ କାମ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା । ଫଳରେ ୫୦ହଜାର କୋଟି ଟଙ୍କା ବ୍ୟୟରେ ଢିଙ୍କିଆରେ ହେବାକୁ ଥିବା ଇସ୍ପାତ ପ୍ରକଳ୍ପର ସ୍ବପ୍ନ କେବଳ ସ୍ବପ୍ନରେ ହିଁ ରହିଯାଇଥିଲା । ଏବେ ଯେତେବେଳେ ସେହି ଜାଗାରେ ୫୫ ହଜାର କୋଟି ଟଙ୍କା ବ୍ୟୟରେ JSW ଇସ୍ପାତ ପ୍ରକଳ୍ପ କରିବାକୁ ଯାଉଛି, ସେତେବେଳେ ଏଭଳି ବିରୋଧକୁ କେମିତି ଗ୍ରହଣ କରାଯାଇପାରିବ ? ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅନ୍ୟର ପ୍ରରୋଚନାରେ ନପଡ଼ି ବରଂ ସ୍ଥାନୀୟ ଲୋକେ ପ୍ରଶାସନକୁ ସହଯୋଗ କରିବାର ଆବଶ୍ୟକତା ରହିଛି ।