ପଶ୍ଚିମବଙ୍ଗରେ ବଢୁଥିବା ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏଥିରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବ୍ରିଟେନରୁ ଆସୁଥିବା ସବୁ ବିମାନର ଅବତରଣ ନିଷିଦ୍ଧ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଆଦେଶ ଅନୁସାରେ ଜାନୁୟାରୀ ୩ ତାରିଖରୁ ଏହି କଟକଣା ଲାଗୁ ହେବାକୁ ଥିବା ବେଳେ ମୁଖ୍ୟ ଶାସନ ସଚିବ ବି.ପି.ଗୋପାଲିକା ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ସଚିବ ରାଜୀବ ବଂସଲଙ୍କୁ ପତ୍ର ଲେଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଜଣାଇଦେଇଛନ୍ତି। ମୁଖ୍ୟ ଶାସନସଚିବ ତାଙ୍କ ପତ୍ରରେ ଦେଶ ଭିତରେ ଓ ବିଦେଶରେ ଓମିକ୍ରନ ଭାରିଏଣ୍ଟର ସଂକ୍ରମଣ ଏବେ ଚିନ୍ତାର ବିଷୟ ପାଲଟିଥିବା ସୂଚିତ କରିଛନ୍ତି। ଏଣୁ ରାଜ୍ୟ ସରକାର ଅସ୍ଥାୟୀ ଭାବେ ଅନ୍ୟାଦେଶ ପର୍ଯ୍ୟନ୍ତ ୩ ଜାନୁୟାରୀ ୨୦୨୨ରୁ ବ୍ରିଟେନ-କୋଲକାତା ସବୁ ସିଧା ଉଡ଼ାଣ ନିଲମ୍ବିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ବ୍ରିଟେନ ଏବେ ଭାରତ ସରକାରଙ୍କ ଦ୍ୱାରା ଅଧିସୂଚିତ ‘ବିପଦପୂର୍ଣ୍ଣ ଦେଶ’। ଏଣୁ ସେଠାରୁ ଉଡ଼ାଣ କରୁଥିବା କୌଣସି ବିମାନକୁ କୋଲକାତା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ଅନୁମତି ଦିଆଯିବନି।
ଏ ବାବଦେ ସରକାରଙ୍କ ପକ୍ଷରୁ ଜାରି ଏନଓସି ପ୍ରତ୍ୟାହାର କରିନିଆଯିବ। ଏହାଛଡା ୩ ଜାନୁୟାରୀ ୨୦୨୨ରୁ କୋଲକାତା ବିମାନବନ୍ଦରକୁ ଅନ୍ୟ ଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କୁ ସେମାନଙ୍କ ଖର୍ଚ୍ଚରେ ଏକ କୋଭିଡ ପରୀକ୍ଷଣ ଦେଇ ଯିବାକୁ ହେବ। ଏହା ପ୍ରତ୍ୟେକ ଯାତ୍ରୀଙ୍କ ନିମନ୍ତେ ବାଧ୍ୟତାମୂଳକ। ଏୟାରଲାଇନ୍ସ ବିମାନର ୧୦ ପ୍ରତିଶତ ଯାତ୍ରୀଙ୍କ ରାଣ୍ଡୋମ ପରୀକ୍ଷଣ କରିବେ। ବାକି ୯୦ ପ୍ରତିଶତ ଯାତ୍ରୀଙ୍କୁ ରାପିଡ ଆଣ୍ଟିଜେନ ଟେଷ୍ଟ ପରେ ବିମାନବନ୍ଦର ବାହାରକୁ ଛଡାଯିବ। ସେହିପରି ସବୁ ଯାତ୍ରୀଙ୍କୁ ଆଗମନ କାଳରେ ପ୍ରତିକ୍ଷା ସମୟ ହ୍ରାସ କରିବା ଲାଗି ପୂର୍ବରୁ ବୋର୍ଡିଂରେ ବାଧ୍ୟତାମୂଳକ ପରୀକ୍ଷଣ ଲାଗି ପ୍ରି-ବୁକ୍ କରିବାକୁ ହେବ। ଯାହାକୁ ଯାତ୍ରୀଙ୍କ ନିମନ୍ତେ ଏୟାରଲାଇନ୍ସ ନିଶ୍ଚିତ କରିବେ। ସେହିପରି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଲାଉଞ୍ଜରେ ଯାତ୍ରୀଙ୍କ ବସିବା କ୍ଷମତା ବୃଦ୍ଧି କରିବା ସହ ଟେଷ୍ଟିଂ କାଉଣ୍ଟର ସଂଖ୍ୟା ବୃଦ୍ଧିକରିବାକୁ ହୁଏତ କୁହାଯାଇପାରେ। ଯାହାଦ୍ୱାରା ବିମାନବନ୍ଦରରେ ଯାତ୍ରୀଙ୍କ ୱେଟିଂ ସମୟ ହ୍ରାସ ହୋଇପାରିବ।