ଓଡ଼ିଶାମୁଖ୍ୟ ଖବର

ଦାନା ବାନ୍ଧୁଛି ବାତ୍ୟା

୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !

ବାତ୍ୟା ଦାନା ବାନ୍ଧୁଛି । ଆସନ୍ତା ୩୦ ତାରିଖବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଅଛି । ଅଧିକ ପ୍ରଭାବଶାଳୀ ନ ହେଲେ ବି ଛୋଟ ବାତ୍ୟା ଆସିପାରେ । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ କହୁଛି, ଆସନ୍ତା ୪ ତାରିଖ କିମ୍ବା ୫ ତାରିଖ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବ । ଏହା ଆନ୍ଧ୍ରକୁ ଯିବା ସମ୍ଭାବନା ଅଧିକ ଥିବାବେଳେ ଦିଗ ବଦଳାଇ ଓଡ଼ିଶା ଆସିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ତେବେ ୩ ତାରିଖରୁ ଓଡ଼ିଶାରେ ପାଗ ବଦଳିବା ସହ ବର୍ଷା ଆରମ୍ଭ ହେବ । ସମ୍ଭାବ୍ୟ ବାତ୍ୟାଜନିତ ଲଗାଣ ବର୍ଷା ନେଇ ଚିନ୍ତା ବଢ଼ିଛି ଚାଷୀର । ବିଲରେ ଏବେ ପାଚିଲା ଧାନ ଛିଡ଼ା ହୋଇଛି । ଆଉ ୮/୧୦ ଦିନରେ ଅମଳ ହୋଇଥାନ୍ତା, ଏମିତିରେ ବର୍ଷା ସହ ପବନ ହେଲେ ସବୁ ଯିବ। ପାଚିଲା ଧାନ ଝଡ଼ିଯିବ । ବିଲରେ ବତୁରି ନଷ୍ଟ ହୋଇଯିବ। ଚାଷୀର ସବୁ ପରିଶ୍ରମକୁ ବରବାଦ୍‌ କରିଦେବ ଏହି ସମ୍ଭାବ୍ୟ ବାତ୍ୟା । ପନିପରିବା ଚାଷ ବି ଗୁରୁତର ଭାବେ ନଷ୍ଟ ହେବ । ଏ ନେଇ ରାଜ୍ୟ ସରକାର ସଜାଗ ହୋଇ ପଡ଼ିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା ରହିଛି । ଏଥିପାଇଁ ପାଗ ଅନୁକୂଳ ରହିଛି। ବଡ଼ କଥା ହେଲା, ଆନ୍ଧ୍ରର ମଛଲିପଟ୍ଟନମରୁ ବିଶାଖାପାଟଣା ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁପାରେ । ଯଦି ମଛଲିପଟ୍ଟନମରେ ସ୍ଥଳଭାଗ ଛୁଇଁବ, ତେବେ ୪ ତାରିଖ ହୋଇଯିବ ଏବଂ ତାହା ତେଲେଙ୍ଗାନା ହୋଇ ଆଗକୁ ବଢ଼ିବ। ଏହାର ବିଶେଷ ପ୍ରଭାବ ଓଡ଼ିଶାରେ ପଡ଼ିବନି । ହେଲେ ଯଦି ବିଶାଖାପାଟଣା ପାଖରେ ତାହା ସ୍ଥଳଭାଗ ଛୁଇଁବ, ତେବେ ୫ ତାରିଖ ହୋଇଯିବ । ଏହାର ପ୍ରଭାବ ଓଡ଼ିଶାରେ ବି ଅନୁଭୂତ ହେବ । ଓଡ଼ିଶାରେ ୩ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବାବେଳେ ୪ରେ ସାରା ଉପକୂଳ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି ।

୫ରେ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ । ତେବେ ବାତ୍ୟା ଦିଗ ବଦଳାଇଲେ ଓଡ଼ିଶାକୁ ମୁହାଁଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ବାତ୍ୟା ହେବ କି ନାହିଁ, ଏବେଠାରୁ ସ୍ପଷ୍ଟ କହିହେବନି । ତେବେ ଭୀଷଣ ଅବପାତ ହେବାର ଅଧିକ ସମ୍ଭାବନା ରହିଛି । ଏହା ୪ ତାରିଖ ରାତି କିମ୍ବା ୫ ତାରିଖ ସକାଳେ ଆନ୍ଧ୍ର-ଓଡ଼ିଶା ସୀମାର ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ଅଧିକ ରହିଛି । ଏହା ପ୍ରଭାବରେ ଓଡ଼ିଶାରେ ୩ରୁ ପାଗ ମେଘୁଆ ହେବା ସହ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ୪ ଓ ୫ ତାରିଖ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହୋଇପାରେ। ୪୫ରୁ ୫୫ କିମି ବେଗରେ ପବନ ବହିପାରେ। ପାଣିପାଗ ବିଭାଗ କହିଛି, ଆଉ ଦିନେ ଦୁଇଦିନ ପରେ ଚିତ୍ର ସ୍ପଷ୍ଟ ହେବା ପରେ ଏହା ବାତ୍ୟା ହେବ କି ନାହିଁ, ଜଣାପଡ଼ିବ । ତଥାପି ଓଡ଼ିଶାରେ ୩ରୁ ପାଗ ବଦଳିବ । ଅନ୍ୟପକ୍ଷରେ ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ବଢ଼ିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ଖସି ୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଫୁଲବାଣୀ ସର୍ବନିମ୍ନ ତାପମାତ୍ରା ୧୩.୫, କେନ୍ଦୁଝର ୧୩.୬, ଝାରସୁଗୁଡ଼ା ୧୨.୬, କୋରାପୁଟ ୧୪.୬, ଟିଟିଲାଗଡ଼ ୧୪.୮, ତାଳଚେର ୧୫, ସୋନପୁର ୧୫.୩, ଅନୁଗୁଳ ୧୬, ଚାନ୍ଦବାଲି ୧୬, ବାରିପଦା ୧୫.୪, ସମ୍ବଲପୁର ୧୫.୯ ଡିଗ୍ରୀ ରେକର୍ଡ ହୋଇଛି ।

Show More

Related Articles

Back to top button