Breaking PLUSଓଡ଼ିଶା

ଏଥର ବିନ୍ଦୁସାଗରରେ ଡଙ୍ଗା ଭସାଇବା ଉପରେ ଲାଗିଲା ରୋକ୍

ବଡ଼ଓଷାରେ ମଧ୍ୟ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ କରିପାରିବେ ନାହିଁ

ଏବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗରରେ ଡଙ୍ଗା ଭସାଇବା ମନା । ରାଜଧାନୀର ନଦୀ, ଜଳାଶୟରେ ମଧ୍ୟ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ପାରିବେ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗତକାଲି ଏହି କଟକଣା ଜାରି କରାଯାଇଛି ।

ଏହି ସବୁ ସ୍ଥାନରେ ଏକାଠି ନହେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ବଡ଼ଓଷା ପାଇଁ ରାଜଧାନୀରେ ଥିବା ବିଭିନ୍ନ ଶିବ ମନ୍ଦିରରେ ମଧ୍ୟ କଟକଣା ଜାରି ହୋଇଛି । ବଡ଼ଓଷାରେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ କରିପାରିବେ ନାହିଁ ।

ରାଜଧାନୀ ଭୁବନେଶ୍ୱରରେ ଏବେ କୋଭିଡ ସଂକ୍ରମଣ ସାମାନ୍ୟ କମିଥିବା ବେଳେ ସଂଖ୍ୟା କିନ୍ତୁ ୧୦୦ ଉପରେ ରହିଛି । ଏପରି ସ୍ଥିତିରେ ଆସନ୍ତା ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣମାରେ ରାଜଧାନୀର ବିଭିନ୍ନ ଜଳାଶୟରେ ଲୋକମାନଙ୍କ ଭିଡ ଜମିବା ଆଶଙ୍କା କରିଛି ବିଏମ୍‌ସି । ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଆଜି ଡଙ୍ଗା ଭସା ଉପରେ କଟକଣା ଲାଗୁ ହୋଇଛି ।

ବିଶେଷ କରି କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ବେଶ୍‌ ଭିଡ଼ ଜମିଥାଏ । ଏହାକୁ ଦୃଷ୍ଟିରେ ରଖି ବିନ୍ଦୁସାଗରରେ ଡଙ୍ଗା ଭସାଣ ଉପରେ ରୋକ ଲଗାଯାଇଛି । କୌଣସି ବି ଶ୍ରଦ୍ଧାଳୁ ଯେପରି ଡଙ୍ଗା ଭସାଣ ସହ ବୁଡ ନ ପକାନ୍ତି ସେ ନେଇ କଡା ନଜର ରଖିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି । ରାଜଧାନୀରେ ଥିବା ବିଭିନ୍ନ ଜଳାଶୟ, ନଦୀରେ ମଧ୍ୟ କଟକଣା ଜାରି ହୋଇଛି । ଏହି ସବୁ ସ୍ଥାନରେ କମିଶନରେଟ୍‌ ପୁଲିସ ପକ୍ଷରୁ କଡ଼ା ନଜର ରଖାଯିବ । କଟକଣା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ବଡ଼ଓଷା ପାଇଁ ରାଜଧାନୀରେ ଥିବା ବିଭିନ୍ନ ଶିବାଳୟରେ ମଧ୍ୟ କଟକଣା ଜାରି ହୋଇଛି । ଭକ୍ତମାନଙ୍କୁ ମନ୍ଦିରକୁ ଆସିବା ପାଇଁ ମନା ହୋଇଛି । ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ବିଏମ୍‌ସି, ପୁଲିସ୍‌ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button