
ଉତ୍ତର ତାମିଲନାଡୁ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ହେଲେ ଆଗକୁ ରହିଛି ବାତ୍ୟା ଆଶଙ୍କା । ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଯଦି ଠିକ୍ ହୁଏ, ତେବେ ପଞ୍ଚୁକ ବେଳକୁ ଆସିପାରେ ବାତ୍ୟା ।
ଏହା ଉତ୍ତର ତାମିଲନାଡୁ ଏବଂ ଓଡ଼ିଶା ଭିତରେ ମାଡ଼ ହେବା ନେଇ ପୂର୍ବାନୁମାନ ମଧ୍ୟ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଧ୍ୟ ଏଭଳି ଆଶଙ୍କାକୁ ଏଡାଇ ପାରୁନି ।
ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ପାଇଁ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେ ଧୀରେ ଏହା ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ମୁହାଁଉଛି । ଶନିବାର ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଆଗେଇବ । ପରେ ୪୮ ଘଣ୍ଟା ଭିତରେ ବା ୧୫ ତାରିଖ ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତ ରୂପ ନେବ । ଏବେ ସମୁଦ୍ର ଜଳପତ୍ତନର ଉପର ଭାଗର ତାପମାତ୍ରା ଅଧିକ ରହୁଛି । ଏହା ଅବପାତକୁ ଅଧିକ ଘନୀଭୂତ ହେବାକୁ ବଳ ଯୋଗାଇବ ।
ଆକ୍ୟୁୱେଦରର ପୂର୍ବାନୁମାନ ହେଲା, ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତ ରୂପ ନେବ । ଏପରିକି ଅଧିକ ବଳ ଜୁଟାଇ ଏହା ବାତ୍ୟାରେ ପରିଣତ ହୋଇପାରେ, ଯାହାକି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ଉତ୍ତର ତାମିଲନାଡୁ ଏବଂ ଓଡ଼ିଶା ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହୁଛି ।ଆଇଏମ୍ଡି ମଧ୍ୟ କହିଛି, ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଏହା ପରେ ବାତ୍ୟା ରୂପ ନେବାର ସମ୍ଭାବନା ନେଇ କେତେକ ମଡେଲ ଆକଳନ କରୁଛନ୍ତି । କିନ୍ତୁ ଏବେଠାରୁ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ଆକଳନ କରିହେବନି । ଅବପାତ ରୂପ ନେବା ପରେ ଚିତ୍ର ସ୍ପଷ୍ଟ ହେବ ।