ବିନା ଭକ୍ତରେ ଗଡ଼ିବ ମା’ ବିରଜାଙ୍କ ରଥ

କରୋନା ପାଇଁ ଫିକା ପଡିଲା ପୂଜା ପାର୍ବଣ । ଚଳିତ ବର୍ଷ କରୋନା ପାଇଁ, ଦୁର୍ଗା ପୂଜାରେ ବିନା ଶ୍ରଦ୍ଧାଳୁରେ ଗଡ଼ିବ ମା ବିରଜାଙ୍କ ରଥ । ୯ ଦିନ ବ୍ୟାପି ଅନୁଷ୍ଠିତ ଏହି ରଥଯାତ୍ରାରେ ସେବାୟତ ପୁଲିସଙ୍କ ଦ୍ୱାରା ରଥ ଟଣା ପର୍ବ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଜିଲ୍ଲା ପ୍ରଶାସନ ଓ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
କୋଭିଡ କଟକଣା ଲାଗି ଶ୍ରଦ୍ଧାଳୁଙ୍କ ମନ୍ଦିର ଦର୍ଶନ ଓ ରଥ ଟଣାକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଛି । ଆସନ୍ତା ୬ତାରିଖ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ । ପ୍ରତ୍ୟେକ ଦିନ ସକାଳରୁ ଅପରାହ୍ନ ୨ଟା ଯାଏ ଶ୍ରଦ୍ଧାଳୁ ଦର୍ଶନ କରିବେ । କିନ୍ତୁ ରଥକୁ ଦୂରରୁ ଦର୍ଶନ କରିବେ ।
ଆଉ ତା’ପରେ ସକାଳ ୫ଟା ପର୍ଯ୍ୟନ୍ତ ୧୪୪ କଟକଣା ବଳବତ୍ତର ରହିବ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି । ଆଜି ସିଂହଧ୍ୱଜ ରଥର ଅଧିବାସ ଓ ଆସନ୍ତା କାଲି ପ୍ରତିଷ୍ଠା ଓ ସନ୍ଧ୍ୟାରେ ରଥ ଟଣା ହେବ । ରଥ ଉପରେ ଭୋଗ ଅର୍ପଣ ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।