ପାଲଟା ଜବାବ ଦେଲା ଭାରତ
ବ୍ରିଟେନ ନାଗରିକଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ବ୍ରିଟେନକୁ ଭାରତର କଡା ଜବାବ । ୟୁକେ ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ନୂଆ ନିୟମ । ଭାରତ ଆସୁଥିବା ବ୍ରିଟେନର ସମସ୍ତ ନାଗରିକଙ୍କୁ ୧୦ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କଲେ ସରକାର । ଏଥିସହ ଭାରତରେ ପହଞ୍ଚିବା ମାତ୍ରେ ବ୍ରିଟେନ ନାଗରିକଙ୍କର କୋଭିଡ ଟେଷ୍ଟ ମଧ୍ୟ କରାଯିବ ।
କରୋନା ଟିକା ନେଇ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିବାଦ ଲାଗି ରହିଛି । ପୂର୍ବରୁ ବ୍ରିଟେନ ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ କଟକଣା ଜାରି କରିଥିଲା । ନିକଟ ଅତୀତରେ ବ୍ରିଟେନ ଭାରତର କରୋନା ଟିକାକୁ ଅନୁମୋଦନ ଦେଇନଥିଲା । ପରେ ଭାରତର କଠୋର ଆଭିମୁଖ୍ୟ ଯୋଗୁଁ ବ୍ରିଟେନ ଭାରତୀୟ ଭ୍ୟାକ୍ସିନକୁ ମଞ୍ଜୁରୀ ଦେବା ସହ କିଛିଟା କଟକଣା ହ୍ରାସ କରିଥିଲା । ଯାହାର ଜବାବ ରଖିଛି ଭାରତ ।
ସୂଚନା ଅନୁଯାୟୀ, ଅକ୍ଟୋବର ୪ ତାରିଖରୁ ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ନାଗରିକଙ୍କୁ ୧୦ ଦିନ ଯାଏଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଏହି ନିୟମ ଉଭୟ ଟିକା ନେଇଥିବା ଓ ନ ନେଇଥିବା ବ୍ୟକ୍ତିଙ୍କ ପାଇଁ ଲାଗୁହେବ । ଏଥିସହିତ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କୋଭିଡ RT-PCR ପରୀକ୍ଷା ମଧ୍ୟ କରିବାକୁ ହେବ ।