ଦ୍ୱିଶତକ ହାସଲ କରିପାରନ୍ତି ଚେତେଶ୍ୱର ପୂଜାରା !

ଦ୍ୱିଶତକ ହାସଲ କରି ପାରନ୍ତି ଚେତେଶ୍ୱର ପୂଜାରା ! ଗତ କିଛି ସମୟରୁ ଖରାପ ଫର୍ମ ଦେଇ ସଂଘର୍ଷ କରୁଥିବା ଭାରତୀୟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଇଂଲଣ୍ଡ ବିପକ୍ଷ ଲିଡ୍ସରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରି ପାରନ୍ତି । ତାଙ୍କୁ ଶତକର ନିକଟତର ହେବା ପାଇଁ ୩୫ ଇନିଂସ ଲାଗି ଯାଇଥିଲେ ମଧ୍ୟ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ଯେଉଁଭଳି ବ୍ୟାଟିଂ କରୁଛନ୍ତି,ତାକୁ ଦେଖିଲେ କୁହାଯାଇ ପାରିବ ଯେ, ସେ ୨୦୧୨ର ଇତିହାସକୁ ଦୋହରାଇବା ମୁଡରେ ଅଛନ୍ତି ।ପୂଜାରା ନିଜର ଶେଷ ଟେଷ୍ଟ ଶତକ ୨୦୧୯ ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଜନ କରିଥିଲେ । ଏହା ପରେ ୩୫ଟି ଇନିଂସରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୮୧ ରହିଥିଲା । ହେଲେ ୨୦୧୯ର ଶତକ ପରେ ୩୬ତମ ଇନିଂସରେ ଯାଇ ପୂଜାରା ଶତକର ନିକଟତର ହୋଇଛନ୍ତି । ସେ ତୃତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୯୧ ରନରେ ଅପରାଜିତ ଅଛନ୍ତି । ଏହି ସମୟରେ ସେ ୧୫ ଚୌକା ଲଗାଇଛନ୍ତି । ପୂଜାରା ଷ୍ଟମ୍ପ ଅପସାରଣ ସୁଦ୍ଧା ଅଧିନାୟକ ବିରାଟ କୋହଲିଙ୍କ ସହିତ କ୍ରିଜରେ ଅଛନ୍ତି । ନିଜ ଟେଷ୍ଟ କ୍ୟାରିୟରରେ ଦ୍ୱିତୀୟ ଥର ପୂଜାରା ଦିନର ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ନାଇଟିଜରେ ଅପରାଜିତ ଅଛନ୍ତି ।