
ସେଇ ମାଆ ମୁହଁରେ ହସର ମୁକୁତା ଫୁଟାଇବା ଏବଂ ତାଙ୍କୁ ଯଥେଚିତ ମାନ ସମ୍ମାନ ଓ ମର୍ଯ୍ୟାଦା ପ୍ରଦାନ କରିବା ନିମନ୍ତେ ପୂରା ଜୀବର୍ଦ୍ଦଶାକୁ ସଅଁପି ଦେଲେ ମଧ୍ୟ ତାହା ତାଙ୍କ ପାଇଁ ଉଣାପଡେ । ତଥାପି ସାରା ବିଶ୍ୱରେ ମା’ଙ୍କୁ ସମ୍ମାନ ଉପଲକ୍ଷେ ପାଳନ କରାଯାଏ ବିଶ୍ୱ ମାତୃଦିବସ । ସ୍ନେହ ମମତା,ତ୍ୟାଗ-ତିତିକ୍ଷା,ଉଦାରତା ଓ ସହନଶୀଳତା ଏମିତି କେତେ ଉପାଦାନରେ ମାଆ ଗଢା ତାହା କେବଳ ସୃଷ୍ଟିକର୍ତାଙ୍କ ଛଡା ଆଉ କାହାରିକୁ ବି ଜଣାନାହିଁ । ସନ୍ତାନ ପ୍ରତି ବାତ୍ସଲ୍ୟ ପ୍ରେମ ହେତୁ ମାଆ ଆଖିରୁ ଥପଥପ ହୋଇ ନିଗିଡିଯାଏ କେତେ ତତଲା ଲୁହ । ଏଇ ପବିତ୍ର ପାବନ ଦିବସରେ ମାଙ୍କୁ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଆମର କାମ୍ୟ ।
ମା’ଙ୍କୁ ଆମେ କେବଳ ଏତିକି ଛଡା ଆଉ କିଛି ବି ଦେଇପାରିବା ନାହିଁ । ଏବେ ବି ମାଆ ଆମ ଆମ ପାଇଁ ବହୁତ କିଛି କରୁଛି । ମାଆ ହେଉଛି ପିଲାର ସୁରକ୍ଷାକବଚ । କୌଣସି ଆଘାତ ବା ଶକ୍ତଚୋଟ ପହିଲେ ମାଆକୁ ଲାଗେ,ପରେ ପିଲାଟକୁ । ମା’ର ବାତ୍ସଲ୍ୟପ୍ରେମର ଋଣ ଶୁଝିବା ଅସମ୍ଭବ । ଏଥିଯୋଗୁଁ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ବିଶ୍ୱ ମାତୃଦିବସ ରୂପେ ପାଳନ କରାଯାଇଥାଏ । ଏବର୍ଷ ମଧ୍ୟ ମାତୃଦିବସକୁ ମଇମାସ ଦଶ ତାରିଖରେ ପାଳନ କରାଯାଉଛି । ବର୍ଷକର ମାତ୍ର ଦିନଟିଏ ମାଆଙ୍କ ନାମରେ ନାମିତି ଯାହାକୁ ଆମେ ମଦର୍ସ ଡେ’ ବୋଲି ଜାଣୁ । ମାଆଙ୍କ ସମ୍ମାନାର୍ଥେ ଏଇ ଦିବସକୁ ପୃଥିବୀର ଅନେକ ଦେଶରେ ପୃଥକ ପୃଥକ ତାରିଖରେ ପାଳନ କରାଯାଇଥାଏ, ମାତ୍ର ଭାରତ ସମେତ ଏକାଧିକ ରାଷ୍ଟ୍ର ମାତୃଦିବସ ପାଳନ କରନ୍ତି ମେ ମାସ ଦ୍ୱିତୀୟ ରବିବାର ଦିନ ।
ଉଲ୍ଲେଖ ନିଷ୍ପ୍ରୟୋଜନ ଯେ,ଅତ୍ୟାଧୁନୀ ଯାନ୍ତ୍ରିକ ଯୁଗରେ ମାଆକୁ ଭଲପାଇବା ତଥା ଯଥୋଚିତ ସମ୍ମାନ ପ୍ରଦାନ କରିବାର ମାତୃଦିବସଟି ଆରମ୍ଭ ହୋଇଥିଲା ଆମେରିକାର । ମାତୃଦିବସ ପାଳନ କରାଯିବାର ପରମ୍ପରା ଚାଲୁ କରିବାରେ ପ୍ରସିଦ୍ଧ ସାମାଜିକ କର୍ମୀ ଏନା ଜାର୍ଭିସ୍ଙ୍କର ଭୂମିକା ଥିଲା ବେଶ୍ ମହତ୍ୱପୂର୍ଣ୍ଣ । ଏନା ଜାର୍ଭସ ନିଜ ମାଆଙ୍କୁ ଖୁବ ଭଲ ପାଉଥିଲେ । ଆଉ ସେ ହାତକୁ ଦି ହାତ ହୋଇନଥିଲେ କି ତାଙ୍କର କେହି ପିଲାଛୁଆ ନ ଥିଲେ । ସଦାବେଳେ ଛାଇଭଳି ମାଆଙ୍କ ସାଥିରେ ରହୁଥିଲେ । ସେମିତି ମାଆଙ୍କ ଦେହାବସାନ ପରେ ନିଜର ପ୍ରେମ ଜ୍ଞାପନ ପାଇଁ ସେଇ ଏଇ ଦିବସଟିକୁ ମାତୃଦିବସ ରୂପେ ଆରମ୍ଭ କରିଥିଲେ ସେ । ଔପଚାରିକତା ଦୃଷ୍ଟିରୁ ତ ଆମେ ନିଶ୍ଚିତ ରୂପେ ମାତୃଦିବସ ପାଳନ କରୁଛେ କିନ୍ତୁ ବାସ୍ତବତାଟା ଏହାଠୁ ଯୋଜନ ଯୋଜନ ଦୂରରେ । ତେବେ କହିବାରେ ଦ୍ୱିଧା ନାହିଁ ଯେ ମାଆ ତାର କୋମଳ ହାତର ଆମକୁ କେବଳ ପାଳିପୋଷି ମଣିଷ କରନ୍ତି ନାହିଁ, ଅଂଟିର ସଂଚିତ ପଇସାରେ ସସ୍ନେହ ମନମାଫିକ ଚିଜ୍ ମଧ୍ୟ କିଣିଦିଅନ୍ତି ।
ଏବେ କିନ୍ତୁ ଯୁଗ ବଦଳିଯାଇଛି ଆଉ ବଦଳିଯାଇଛି ଭଲ ପାଇବାର ମାପଦଣ୍ଡ,ବିଶେଷକରି ମାଙ୍କ ବୃଦ୍ଧାବସ୍ଥା ସମୟରେ । ଏବର ଯୁଗରେ ଆମେ ପିଲାଛୁଆଙ୍କ ସହିତ ମିଳାମିଶା କରୁଛେ । ଅଥଚ ମାଆଙ୍କୁ ନିଜ ପାଖରୁ ଦୂରଦୂର ମାର୍ମାର୍ କରି ଦୂରେଇ ଦେଇଛେ । ବେସାହାରା କରି ଛାଡି ଚାଲୁଆସୁଛେ ଜରାଶ୍ରମରେ । ୟାଠୁ ବଳି ଦୁଃଖଦ ଆଉ ବିଡମ୍ବନା କଣ ବା ହୋଇପାରେ । ବୃଦ୍ଧାବସ୍ଥା ଖୁବ୍ ପୀଡାଦାୟକ । ଏଇ କଠିନ ସମୟରେ ମାଙ୍କୁ ଅଧିକ ଭଲ ପାଇବାର ଆବଶ୍ୟକତା ରହିଛି । ଆମେ ମାଆକୁ ଅଯଥାରେ, ଗାଳିଗୁଲଜ, ଭତ୍ସନା ତିରସ୍କାର କରୁଛେ । ଏଇ ସମୟକାଳଟି ଯେକୌଣସି ମାଆ ପାଇଁ ଦୁଃଖଦାୟକ ନିଶ୍ଚୟ । ମାଆ ତା ପିଲାମାନଙ୍କ ପାଇଁ ସବସ୍ୱ ତ୍ୟାଗକରି ଏଡେରୁ ଏଡୁଟିଏ କରାଏ । ହେଲେ ବିଡମ୍ବନା ଆମେ ବଡ ହୋଇ ମାଆଙ୍କୁ ଭିନେ ରଖୁଛେ । ଏପରିକି ଅଲଗା ଆବାସ ଅର୍ଥାତ ବୃଦ୍ଧାଶ୍ରମରେ ଫିଙ୍ଗିଦେଇ ଆସିବାକୁ ପଛାଉ ନାହୁଁ ।
ଭାବିଲା ବଡ ଆଶ୍ଚଯ୍ୟ ଲାଗେ ଯେ, ଆଜିକାଲିର ପଢାଲେଖା ଜାଣିଥିବା ତରୁଣ ଯୁବଗୋଷ୍ଠୀ ନିଜ ବୃଦ୍ଧ ପିତାମାତାଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରୁନାହାଁନ୍ତି । ବୃଦ୍ଧାବସ୍ଥାରେ ଉପନୀତ ହେବା ମାତ୍ରେଇ ସନ୍ତାନଟି ତା ପିଲାଛୁଆଙ୍କ ଢେର ସ୍ନେହ ଆଦର କରନ୍ତି, କିନ୍ତୁ ବୃଦ୍ଧ ମାତାପିତାମାନେ ନିଜକୁ ଉପେକ୍ଷିତ ମଣନ୍ତି । ରିସର୍ଚ୍ଚ ଆଣ୍ଡ ଆଡଭୋକାସି ସେଂଟର ଅଫ ଏଜ୍ଓଲଡ ଫାଉଣ୍ଡେସନ ପକ୍ଷରୁ ଏକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ, ଆମ ଦେଶର ଯୁବପୀଢି କେବଳ ବୟୋଜ୍ୟେଷ୍ଠଙ୍କ ପ୍ରତି ବେଖାତିର ଭାବ ପୋଷଣ କରନ୍ତି ତାହା ନୁହେଁ ବରଂ ସେମାନେ ଜୁଝୁଥିବା ସମସ୍ୟା ପ୍ରତି ସଜାଗ ସତର୍କ ଓ ସଚେତନ ରହନ୍ତି ନାହିଁ । ଅପରପଟେ ପ୍ରତିବେଶୀ ବୃଦ୍ଧବୃଦ୍ଧାଙ୍କୁ ସମ୍ମାନ ଜଚ୍ଚାଇବା ପାଇଁ ତତ୍ପରତା ଦେଖାନ୍ତି,ମାତ୍ର ନିଜ ଘର ବୃଦ୍ଧବୃଦ୍ଧାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଥାନ୍ତି । ସେମାନଙ୍କୁ ଆଡ ଆଖିରେ ଅନାନ୍ତି ନାହିଁ ।
ସର୍ବେକ୍ଷଣ ମୁତାବକ ୫୯.୩ ପ୍ରତିଶତ ଲୋକ ସ୍ୱୀକାରୋକ୍ତି -ଘର-ବାହାର ଦୁଇ ଜାଗାରେ ବୃଦ୍ଧବୃଦ୍ଧାମାନଙ୍କ ଅବସ୍ଥାରେ କୌଣସି ଫରକ ନାହିଁ । ଅପରପକ୍ଷରେ ୨୫ ପ୍ରତିଶତ ଲୋକେ ମତ – ଘରେ ବୁଦ୍ଧବୃଦ୍ଧାଙ୍କ ସମ୍ମାନ ଭୁଲୁଂଠିତ ହୋଇଗଲାଣି । ଏଇ ବୃଦ୍ଧଜନଙ୍କ ମଧ୍ୟରୁ ଆମ ମାଆ ଜଣେ,ଯାହାଙ୍କୁ ବୃଦ୍ଧା ବୟସରେ ଉପନୀତ ହେବା ମାତ୍ରେଇ ଆମକୁ ବୋଝ ଭଳି ଲାଗେ । କିନ୍ତୁ ଆମେ ଏକଥା ବିସୋରିଯାଉଛୁ ଯେ ଆମ ମାଆ ଦିନେ ଆମକୁ ପାଳିପୋଷି ମଣଷଟିଏ କରି ସମାଜରେ ଛିଡା କରାଇଛି ବୋଲି । ତେବେ ସେ ଯାହାହଉ, ଏବେ ଆସନ୍ତୁ ଏଇ ପାବନ ଦିବସରେ ଆମେ ସଭିଏଁ ମାଆଙ୍କୁ ଉପଯୁକ୍ତ ସମ୍ମାନ ତଥା ସ୍ନେହ ପ୍ରେମ ଆଂଜୁଳାଏ ଦେବା ଯଦ୍ୱାରା ସିଏ ବାକିତକ ଜୀବନକୁ ଆମ ମେଳରେ ହସିଖୁସିରେ କଟାଇଦେବ ।