ଦେଶରେ ରେକର୍ଡ ସ୍ତରରେ GST ଆଦାୟ, ମାର୍ଚ୍ଚ ମାସରେ ସର୍ବାଧିକ
କରୋନା ମହାମାରୀ ଜାରି ରହିଥିଲେ ସୁଦ୍ଧା ଦେଶର ଅର୍ଥବ୍ୟବସ୍ଥା ମୁଣ୍ଡ ଟେକି ଛିଡା ହେଉଛି । ବିଭିନ୍ନ ସେକ୍ଟରରେ କାରବାର ବୃଦ୍ଧି ଫଳରେ ଅର୍ଥବ୍ୟବସ୍ଥାରେ ଏବେ ଦ୍ରୁତ ସୁଧାର ଆସିଛି

ମାର୍ଚ୍ଚ ମାସରେ ହୋଇଥିବା ଜିଏସ୍ଟି ଆଦାୟ ତଥ୍ୟ କହୁଛି ଯେ, ୨୦୨୦ ମାର୍ଚ୍ଚ ମାସ ତୁଳନାରେ ୨୦୨୧ ମସିହା ମାର୍ଚ୍ଚ ମାସରେ ପ୍ରାୟ ୨୭ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି ।ଅର୍ଥ ମନ୍ତ୍ରାଳୟ ତଥ୍ୟ ଅନୁସାରେ ୨୦୨୧ ମାର୍ଚ୍ଚ ମାସରେ ମୋଟ ୧ ଲକ୍ଷ ୨୩ ହଜାର ୯୦୨ କୋଟି ଟଙ୍କାର ଜିଏସଟି ରାଜସ୍ବ ପ୍ରାପ୍ତ ହୋଇଛି । ଏଥିରେ କେନ୍ଦ୍ରୀୟ ଜିଏସଟି ୨୨,୯୭୩ କୋଟି ଟଙ୍କା ଏବଂ ରାଜ୍ୟ ଜିଏସଟି ୨୯,୩୨୯ କୋଟି ଟଙ୍କା ସାମିଲ ଅଛି ।
ସେହିଭଳି ମାର୍ଚ୍ଚ ମାସରେ ଇଣ୍ଟିଗ୍ରେଟେଡ୍ ଜିଏସଟି ୬୨,୮୪୨ କୋଟି ଟଙ୍କା ଆଦାୟ ହୋଇଛି । ଜିଏସଟି ଅଧୀନରେ ସରକାର କିଛି ସାମଗ୍ରୀ ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ସେସ୍ ଲାଗୁ କରିଛନ୍ତି । ସେସ୍ରୁ ଆଦାୟ ହେଉଥିବା ଆୟ ରାଜ୍ୟଗୁଡିକର ରାଜସ୍ବ କ୍ଷତିକୁ କିଛି ମାତ୍ରାରେ କମ କରିଥାଏ ।ଗତ ବର୍ଷ ମାର୍ଚ୍ଚ ମାସରେ ମୋଟ ୯୭,୫୯୦ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା । ଯାହାକି ଚଳିତ ବର୍ଷ ତୁଳନାରେ ୨୭ ପ୍ରତିଶତ କମ । ବର୍ଷ ୨୦୨୧ରେ ଲଗାତାର ୬ଷ୍ଠ ମାସ ପାଇଁ ଜିଏସଟି ଆଦାୟ ଏକ ଲକ୍ଷ କୋଟି ଟଙ୍କା ପାର କରିଛି ।