ଓଡ଼ିଶାମୁଖ୍ୟ ଖବର

୭ମାସ ହେଲା ସ୍କୁଲ ପାଠପଢ଼ା ବନ୍ଦ କାରଣରୁ ଶିକ୍ଷା ବର୍ଷ ବଢିବ ନା ସିଲାବସ୍‌ କମିବ?

କରୋନା ସଂକ୍ରମଣ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ସ୍କୁଲରେ କ୍ଲାସରୁମ୍‌ ପାଠପଢ଼ା ହୋଇ ନ ଥିବାରୁ କେମିତି ଓ କିଭଳି ଭାବେ ଶିକ୍ଷାବର୍ଷ ଶେଷ ହେବ, ତାହାକୁ ନେଇ ସମସ୍ତେ ଚିନ୍ତାରେ

୭ ମାସ ହେଲା ସ୍କୁଲରେ ପାଠପଢ଼ା ବନ୍ଦ ରହିଛି। କ୍ଲାସ୍ ହେଉନି କି ଛାତ୍ରଛାତ୍ରୀ ଆସୁନାହାନ୍ତି, ଯେଉଁଥିପାଇଁ ୨୦୨୦-୨୧ ଶିକ୍ଷାବର୍ଷକୁ ନେଇ ଏବେ ଦ୍ବନ୍ଦ୍ବ ଲାଗି ରହିଛି। ସିଲାବସ୍‌ କମିବ ନା ଶିକ୍ଷାବର୍ଷ ବଢ଼ିବ, ତାହାକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁ ନାହିଁ। ଶିକ୍ଷା ମନ୍ତ୍ରଣାଳୟ କିମ୍ବା ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍(ସିବିଏସ୍ଇ) ଓ କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନ(ସିଆଇଏସ୍‌ସିଇ) ବୋର୍ଡ ପକ୍ଷରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁ ନାହିଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ସିଲାବସ୍ ଆହୁରି ୫୦ପ୍ରତିଶତ ଆହୁରି ହ୍ରାସ କରିବାକୁ କେ‌‌ତେଜଣ ଶିକ୍ଷାବିତ୍‌ ମତ ହେଉଥିବା ବେଳେ ଆଉ କିଛି ଜଣ ଶିକ୍ଷାବର୍ଷକୁ ବୃଦ୍ଧି କରି ଉକ୍ତ ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷା ୪୫ରୁ ୬୦ ଦିନ ବିଳମ୍ବ କରିବାକୁ ପ୍ରସ୍ତାବ ରଖିଛନ୍ତି।ସୂଚନା ଅନୁଯାୟୀ ସିବିଏସ୍‌ଇ, ସିଆଇଏସ୍‌ସିଇ ସମେତ କେତେକ ରାଜ୍ୟ ବୋର୍ଡ ସିଲାବସ୍‌କୁ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ବିଦ୍ୟାଳୟ ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରି ନାହିଁ। କେବଳ ଯାହା ଅନ୍‌ଲାଇନ୍ କ୍ଲାସ୍ ସମ୍ଭବପର ହୋଇଛି। ଯଦିଓ ଅକ୍ଟୋବର ୧୫ରୁ ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାର ଅନଲକ୍ ୫.୦ରେ ଅନୁମତି ଦେଇଛନ୍ତି, ତେବେ ଉପସ୍ଥାନ ଆଶାନୁରୂପ ହୋଇପାରି ନାହିଁ। ‌ଅଧିକାଂଶ ରାଜ୍ୟ ସରକାର ସ୍କୁଲ, କଲେଜ ଖୋଲିବା ସପକ୍ଷରେ ନାହାନ୍ତି। ଜୁଲାଇରେ ସିଲାବସ୍‌ ୩୦% ହ୍ରାସ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କ୍ଲାସ ହୋଇପାରି ନାହିଁ।

ଯଦି ଏଭଳି ପରିସ୍ଥିତି ଜାରି ରୁହେ, ତେବେ ବୋର୍ଡ ପରୀକ୍ଷା ପାଇଁ ସିଲାବସ୍ ହ୍ରାସ ହେବାର ସମ୍ଭାବନା ଅଛି। ସିଲାବସ୍‌କୁ ଆହୁରି ହ୍ରାସ କରିବା ଦ୍ବାରା ତାହାର ପ୍ରଭାବ ପିଲାଙ୍କ ଭବିଷ୍ୟତ ଉପରେ ପଡ଼ିପାରେ। ଛାତ୍ରଛାତ୍ରୀ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେବେ।ଅନ୍ୟପକ୍ଷରେ ୨୦୨୧ ଫେବ୍ରୁଆରି ଓ ମାର୍ଚ୍ଚ ମାସ‌ରେ ଆରମ୍ଭ ହେବାକୁ ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ଦେଢ଼ରୁ ଦୁଇ ମାସ ବିଳମ୍ବ କରିବାରୁ ବି ପ୍ରସ୍ତାବ ରହିଛି। ଶିକ୍ଷାବର୍ଷକୁ ସଂଶୋଧନ କରାଯାଇ ଉଭୟ ଦଶମ ଓ ଦ୍ବାଦଶ ‌‌ଶ୍ରେଣୀ ପରୀକ୍ଷା ଏପ୍ରିଲ୍‌ରୁ ଆରମ୍ଭ କରି ମେ’ ମାସ‌ରେ ଶେଷ କରିବାକୁ ଚିନ୍ତା କରାଯାଉଛି। ଏହା କରାଯିବା ଦ୍ବାରା ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ କିଛି ପରିମାଣରେ ଶାରୀରିକ ଭାବେ କ୍ଲାସ କରିପାରିବେ। ଭୁବନେଶ୍ବରସ୍ଥିତ ସିବିଏସ୍‌ଇ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଅନଲାଇନ୍ କ୍ଲାସ୍ ସେତେଟା ଫଳପ୍ରଦ ହୋଇପାରି ନାହିଁ। ସହରାଞ୍ଚଳ, ଅର୍ଦ୍ଧ ସହରୀ ଓ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଭିନ୍ନଭିନ୍ନ ରହୁଛି। ତେଣୁ ପରୀକ୍ଷା ପୂର୍ବରୁ ‌ଯେକୌଣସି ପ୍ରକାରେ କିଛି ଶାରୀରିକ ଶ୍ରେଣୀ କରାଇବାକୁ ଆଶା ରଖିଛୁ। ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ ଏବଂ ପରିସ୍ଥିତିର ସମୀକ୍ଷା କରିବାକୁ ହେବ। ତେଣୁ ଶ୍ରେଣୀଗୃହର ଶିକ୍ଷାଦାନ ଓ ସିଲାବସ୍ ସମାପ୍ତ ହେବା ପାଇଁ ବୋର୍ଡ ପରୀକ୍ଷାକୁ ଏପ୍ରିଲ୍ କିମ୍ବା ତା’ଠାରୁ ଅଧିକ ସ୍ଥାନାନ୍ତର କରିବାକୁ ପଡ଼ିପାରେ। ବିଦ୍ୟାଳୟଗୁଡ଼ିକ ମଧ୍ୟ ପରୀକ୍ଷା ତାରିଖ ସ୍ଥଗିତ ରଖିବା ସହ ସିଲାବସ୍ ୫୦% ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସିଆଇଏସ୍‌ସିଇ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଲାବସ୍ ହ୍ରାସ ହେବାର ସମ୍ଭାବନା ରହିଛି। ଯଦିଓ ଏହା ବର୍ତ୍ତମାନ ପର୍ଯ୍ୟନ୍ତ କହିପାରିବ ନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ହିଁ ନିଷ୍ପତ୍ତି ନିଆଯିବ।

Show More

Related Articles

Back to top button