ଜୀବନଚର୍ଯ୍ୟାଦୁର୍ଘଟଣାଦେଶ ବିଦେଶ

ଅଶାନ୍ତ ସମୁନ୍ଦ୍ର ମଝିରେ ଦୁଇ ଦିନ ରହିବା ପରେ ଉଦ୍ଧାର ହେଲେ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀ

ପାରାଦୀପ : ଅଶାନ୍ତ ସମୁଦ୍ରର ସୁ ସୁ ଗର୍ଜନରେ ଥରହର କରି ଦେଉଛି। ଭୟଙ୍କର ଶବ୍ଦ ଆଉ କ୍ଷୀପ୍ର ବେଗରେ କୂଳମୁହାଁ ହେଉଛି ଅଶାନ୍ତ ଢେଉ। ସମୁଦ୍ରର ଏଭଳି ଉଗ୍ର ରୂପ ଯେ ଦେଖିବ ସେ ଛାନିଆରେ ଥରହର ହେବ। ମାତ୍ର ଏପରି ଭୟଙ୍କର ସ୍ଥିତିରେ ମଝି ସମୁଦ୍ରରେ ଅକାତ କାତ ପାଣିରେ ୨ ଦିନ ମରଣ ସହ ସଂଘର୍ଷ କରିବା ପରେ ଉଦ୍ଧାର ହୋଇଛନ୍ତି ୨୦ ବାଂଲାଦେଶୀ ମତ୍ସ୍ୟଜୀବୀ। ସେମାନଙ୍କ ପାଇଁ ଦେବଦୂତ ସାଜିଥିଲା ଭାରତୀୟ ତଟରକ୍ଷୀ ବାହିନୀ। ଏପରି ଲୋମଟାଙ୍କୁରା ଘଟଣା ସାଗର ଦ୍ଵୀପଠାରୁ ୯୦ ନଟିକାଲ ମାଇଲ ଦୂର ଗଭୀର ସମୁଦ୍ରରେ ଘଟିଛି। ସୂଚନାନୁସାରେ, ପ୍ରାୟ ୨୦ ବାଲାଂଦେଶୀ ମତ୍ସ୍ୟଜୀବୀ ମାଛ ଧରିବା ନିମନ୍ତେ କିଛି ଦିନ ପୂର୍ବେ ସମୁଦ୍ରକୁ ଆସିଥିଲେ। ଇତି ମଧ୍ୟରେ ବାଂଲାଦେଶ ସମୁଦ୍ରରେ ‘ସିତ୍ରାଙ୍ଗ’ ମାଡ଼ ହେବାରୁ ସେମାନେ ଆଉ କୂଳକୁ ଫେରି ପାରିଲେ ନାହିଁ। ଫଳରେ ଅଶାନ୍ତ ସମୁଦ୍ରରେ ସେମାନେ ବୋଟରେ ଥିବା ବେଳେ ଅତ୍ୟଧିକ ଝଡ଼ ଯୋଗୁଁ ସେମାନଙ୍କ ବୋଟ ବି ବୁଡ଼ିଗଲା। ଏହା ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀର ଡୋର୍ନିୟର ବିମାନ ସମୁଦ୍ର ଉପରେ ପଇଁତରା ମାରୁଥିବା ବେଳେ ଅସହାୟ ଅବସ୍ଥାରେ ଥିବା ଏହି ମତ୍ସ୍ୟଜୀବୀଙ୍କୁ ଠାବ କରିଥିଲା। ଏହାପରେ ତୁରନ୍ତ ଏକ ଲାଇଫ-ରାଫ୍ଟ ପକାଇବାରୁ ସେମାନେ ତାହା ଉପରକୁ ଚାଲି ଯାଇଥିଲେ। ଏହାପରେ ସେମାନଙ୍କୁ କିପରି ସମୁଦ୍ର କୂଳକୁ ଆଣିବେ ତାହା ଏକ ପ୍ରଶ୍ନବାଚୀ ଭାବେ ଛିଡ଼ା ହେଲା। ଇତି ମଧ୍ୟରେ ମାଲେସିଆରୁ କୋଲକାତା ଯାଉଥିବା ଏକ ପଣ୍ୟବାହୀ ଜାହାଜରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ତଟରକ୍ଷୀ ବାହିନୀ ପକ୍ଷରୁ ନିର୍ଦ୍ଦେଶ ଦିଆଗଲା। ଏହି ଜାହାଜରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ନିଆଗଲା। ଏହାପରେ ଭାରତୀୟ ତଟରକ୍ଷା ବାହିନୀର ଜାହାଜ ‘ବିଜୟ’ ମଝି ସମୁଦ୍ରରେ ପହଞ୍ଚିବାରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସେଠାକୁ ସ୍ଥାନାନ୍ତର କରାଗଲା। ଜାହାଜ ମଧ୍ୟରେ ସେମାନଙ୍କ ଚିକିତ୍ସା କରାଯିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାଯାଇଛି। ଏହାପରେ ସେଠାରୁ ସେମାନଙ୍କୁ ବାଂଲାଦେଶ ଅଭିମୁଖେ ନିଆଯାଇଛି। ଭାରତ-ବାଂଲାଦେଶ ଜଳସୀମାରେ ବାଂଲାଦେଶ ତଟରକ୍ଷୀ ବାହିନୀକୁ ଏହି ୨୦ ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରାଯିବ।

 

Show More

Related Articles

Back to top button