Breaking PLUSଓଡ଼ିଶାମୁଖ୍ୟ ଖବର

18ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦଘାଟିତ

ଭୁବନେଶ୍ୱର, 16 ଡିସେମ୍ବର – ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଭାବରେ ଯୋଗ ଦେଇ ମେଳାର ଶୁଭାରମ୍ଭ କରିଥିଲେ । କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାଠ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଥିଲେ ଯେ ଓଡ଼ିଶା କଳାର ରାଜ୍ୟ, କଳାଭୂମି । ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଦେଶ ବିଦେଶରେ ଗୌରବ ବୃଦ୍ଧି କରିଛି ଏବଂ କାରିଗରମାନଙ୍କ ପାଇଁ ସମ୍ମାନ ଆଣିଛି । ଏହି ମାଟିର କାରିଗରମାନଙ୍କର ଦକ୍ଷତାର ତୁଳନା ନାହିଁ । ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାଧରମାନଙ୍କୁ ବିଶେଷ ଅଭିନନ୍ଦନ ଜ୍ଞାପନ କରିଥିଲେ ଓ ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବିଭିନ୍ନ ରାଜ୍ୟର କାରିଗରମାନଙ୍କୁ ସ୍ୱାଗତ କରିଥିଲେ ।

ଉଦ୍ଘାଟନୀ ସଭାରେ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ପଦ୍ମ ବିଭୁଷଣ, ଡ଼. ସୁଦର୍ଶନ ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ସଚିବ, ସରୋଜ କୁମାର ପଟେଲ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶୋଭନ କ୍ରୀଷ୍ଣା ସାହୁ ତଥା ହସ୍ତଶିଳ୍ପ ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ୨୦୨୨ ବର୍ଷ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ୧୧ ଜଣ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ବିଶିଷ୍ଟ ଶିଳ୍ପୀ ଶ୍ରୀଯୁକ୍ତ ବିଜୟ କୁମାର ପରିଡାଙ୍କୁ ଲାଇଫ୍ଟାଇମ୍ ଆଚିଭ୍ମେଂଟ ଆୱାର୍ଡରେ, ୫ ଜଣ ଶିଳ୍ପୀ ଙ୍କୁ ରାଜ୍ୟ ହସ୍ତଶିଳ୍ପ ଆୱାର୍ଡରେ ଓ ୫ ଜଣ ଶିଳ୍ପୀଙ୍କୁ କଳାକୃତି ସମ୍ମାନରେ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା ।

ଶେଷରେ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶୋଭନ କ୍ରୀଷ୍ଣା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଯୋଗଦେଇ ଥିମ ପାଭିଲିୟନ୍ର ଶୁଭ ଉଦ୍ଘାଟନ କରିଥିଲେ । ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ବିଚିତ୍ରାନନ୍ଦ ସ୍ୱାଇଁ ଓ ସାଥୀମାନେ ଚିତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି ମେଳାରେ ମୋଟ ୫୬୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ସ୍ଥାନ ପାଇଛି । ଚଳିତବର୍ଷ ଫୁଡ୍ କୋର୍ଟରେ ଓଡ଼ିଶାରେ ପାରମ୍ପରିକ ଖାଦ୍ୟ ପରିବେଷଣ ହେବା ସହିତ ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟର ଆସର ଜମିଛି । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହିବ ।

Show More

Related Articles

Back to top button