ମୁଖ୍ୟ ଖବର

ଜୁନ ୧୪, ରକ୍ତଦାନ ଶ୍ରେଷ୍ଠ ଦାନ

ଭୋକିଳା ମଣିଷ ଖାଦ୍ୟ ରୁଚି ଅରୁଚି ବାଛେ ନାହିଁ ଯାହାଦେଲେ ଖାଇଦିଏ ଜୀବନତ ବଞ୍ଚିବ ।ରକ୍ତ ଆବଶ୍ୟକ କରିଥିବା ରୋଗୀ ଓ ପରିବାର ରକ୍ତ ହିଁ ଖୋଜନ୍ତି, କିଏ ଦେଇଛି, କେଉଁ ଧର୍ମ, ଜାତିର ଏହିପରି ବାଛବିଚାର ନଥାଏ,କେବଳ ତା ନିଜ ଲୋକ ବଞ୍ଚିବାର ଅଛି

ରକ୍ତ ମଣିଷକୁ ପରିବର୍ତ୍ତନ କରିଦିଏ ତା ଭିତର ମହାମାନବ ଜାଗିଉଠେ। ମଣିଷ ଭଲ ପାଉଥିବା ମଣିଷ ମଧ୍ୟ ସଂସାରରେ ଅଛନ୍ତି ଏମିତି କିଛି ଅନୁଭବ କରିଥାଏ।ରକ୍ତ ଗ୍ରହଣ କରିଥିବା ଲୋକ ଭିତରେ ଅଜସ୍ର କୃତଜ୍ଞତା, ଆଶୀର୍ବାଦ,ଭଲ ପାଇବାର ଅମିୟବୋଲା ଶଦ୍ଦ ଝରିପଡେ ଆପେ ଆପେ।ଯିଏ ମୋର ଜୀବନ ବଞ୍ଚାଇଛି ତାର ଆୟୁଷ ବଢୁ।ସେ ସୁସ୍ଥ ରହୁ।ରକ୍ତଦାନ କରିଥିବା ବ୍ୟକ୍ତି ମହାଆନନ୍ଦ ପ୍ରାପ୍ତ ହୋଇଥାଏ।ଏମିତି ଏକ ନୈସର୍ଗିକ ଆନନ୍ଦ ତାହା ଭାଷାରେ କହିହେବ ନାହିଁ।ଚିକିତ୍ସା ବିଜ୍ଞାନ ଅନୁସାରେ ରକ୍ତଦାନ କରୁଥିବା ବ୍ୟକ୍ତିର ଜଟିଳତା ପୂର୍ଣ୍ଣ ରୋଗଦେଖାଦିଏ ନାହିଁ।ଶରୀର ସୁସ୍ଥ ସବଳ ରହିଥାଏ।ଜଣେ ସୁସ୍ଥ ବ୍ୟକ୍ତି ରକ୍ତଦାନ କରିପାରିବ।ଆମ ଶରୀରରେ ଯେତେ ରକ୍ତ ଆବଶ୍ୟକ କରିଥାଏ ତାଠାରୁ ଅଧିକ ପରିମାଣର ରକ୍ତ ଥାଏ।ସେହି ବଳକା ରକ୍ତକୁ ହିଁ ଦାନ କରିଥାଉ। ତେଣୁ ଶରୀରର କୌଣସି କ୍ଷତି ହୁଏ ନାହିଁ।ଆଜିକାଲି ଚିକିତ୍ସା ବିଜ୍ଞାନର ସଫଳତା ଯୋଗୁଁ ଗୋଟିଏ ୟୁନିଟ ରକ୍ତରେ ତିନିଜଣଙ୍କ ଆବଶ୍ୟକତା ପୂରଣ କରିହେବ।ସେଥିପାଇଁ ରକ୍ତର ବିଭିନ୍ନ ପ୍ରକାର ଉପାଦାନ କୁ ଅଲଗା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ର ବ୍ୟବହାର କରାଯାଏ। ରକ୍ତଦାନ ପାଇଁ ବୟସ ୧୮ରୁ ୬୦ବର୍ଷ ମଧ୍ୟରେ ହୋଇଥିବ।ଶରୀରରେ ହେମୋଗ୍ଲୋବିନ ପରିମାଣ ୧୨.୫% ଥିବ।ସେ କୌଣସି ଜଟିଳ ରୋଗରେ ପୀଡ଼ିତ ହୋଇନଥିବେ।ରକ୍ତଦାନ ସମୟରେ ରକ୍ତଚାପ ଓ ଶାରୀରର ଉତ୍ତାପ ସାଧାରଣ ରହିଥିବ।ଏହିପରି ସାଧାରଣ ନିୟମ ରହିଛି।

ରକ୍ତଦାନ ପୂର୍ବରୁ କିଛି ସାଧାରଣ ସୂଚନା ନିର୍ଦ୍ଧାରିତ ଫର୍ମରେ ପୂରଣ କରାଯାଏ।ଫର୍ମର ସଠିକତା ଯାଞ୍ଚ ପରେ ରକ୍ତଦାନ ପାଇଁ ଅନୁମତି ଦିଆଯାଏ।ଜଣେ ପୁରୁଷ ତିନିମାସରେ ଥରେ ରକ୍ତଦାନ କରିଥାଏ କିନ୍ତୁ ଜଣେ ସ୍ତ୍ରୀଲୋକ ଚାରି ମାସରେ ଥରେ ରକ୍ତଦାନ କରିବାର ନିୟମ ରହିଛି।ଭାରତରେ ରକ୍ତଦାନ ପାଇଁ ବେଶୀ ଉତ୍ସାହ ଦେଖିବାକୁ ମିଲିନଥାଏ।ଏକ ଆକଳନ ଅନୁସାରେ ଭାରତରେ ୧୩.୫ ମିଲିୟନ ରକ୍ତର ଆବଶ୍ୟକତା ରହିଥିବା ବେଳେ ୧୧ମିଲିୟନ ରକ୍ତଦାତା ରକ୍ତଦାନ କରିଥାନ୍ତି।ଭାରତର ଜନସଂଖ୍ୟାକୁ ଆକଳନ କଲେ ଜଣାଯାଏ ଯେ ଜନସଂଖ୍ୟାର ମାତ୍ର ୧%ଲୋକ ଯଦି ରକ୍ତଦାନ କରନ୍ତି ତାହେଲେ ଭାରତରେ ରକ୍ତର ଅଭାବ ରହିବ ନାହିଁ।ରକ୍ତଦାତା ସଂଗ୍ରହ ପାଇଁ ଭାରତରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରହିଛି।ସେହି ଅନୁଷ୍ଠାନ ମାନଙ୍କ ତରଫରୁ ସଚେତନତା କରାଯାଇଥାଏ।ତଥାପି ଆଖିଦୃଶିଆ ରକ୍ତଦାତା ରକ୍ତଦାନ ପାଇଁ ଆଗେଇ ଆସିନଥାନ୍ତି। ସାଧାରଣତଃ ଦେଖାଯାଏ ରକ୍ତଦାନ କ୍ଷେତ୍ରରେ ସାଧାରଣ ଲୋକମାନେ ରକ୍ତଦାନ କରିନଥାନ୍ତି।ରକ୍ତଦାନ ସଂପର୍କରେ ଅଜ୍ଞତା ଏଥିପାଇଁ ମୂଖ୍ୟତଃ ଦାୟୀ।ଏହାବ୍ୟତୀତ ରକ୍ତଦାନ ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପ୍ରଚାର ପ୍ରସାର ଅଭାବ ଅନୁଭୁତ ହୋଇଥାଏ।ସେଥିପାଇଁ ରକ୍ତଦାନର ସୁଫଳ ସଂପର୍କରେ ସହର ଠାରୁ ପୁର ପଲ୍ଲୀରେ ବହୁଳ ପ୍ରଚାରର ଆବଶ୍ୟକତା ରହିଛି।ଅବଶ୍ୟ ବିଭିନ୍ନ ସଂଗଠନ ରକ୍ତଦାନ ଉଦ୍ଦେଶ୍ୟ ବିଷୟରେ ସଚେତନ କରୁଛନ୍ତି ଯାହା ବ୍ୟାପକ ରୂପେ ହେଇପାରୁନାହିଁ।

ଭାରତରେ ୧୯୪୨ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଆହତ ସୈନିକ ମାନଙ୍କୁ ରକ୍ତଦାନ ବ୍ୟବସ୍ଥା ଆରମ୍ଭ ହୋଇଥିଲା।ଏହି ରକ୍ତଦାନ କ୍ଷେତ୍ରରେ ସରକାରୀ କର୍ମଚାରୀ ଓ ଲୋହିତ ଭାରତୀୟ ମାନେ ରକ୍ତଦାନ କରିଥିଲେ।ଭାରତରେ ପ୍ରଥମ କରି କଲିକତା ଠାରେ ୧୯୪୨ମସିହାରେ ରକ୍ତଭଣ୍ଡାର ସ୍ଥାପନ କରାଯାଇଥିଲା।୧୯୬୦ମସିହାରେ ଭାରତରେ ପ୍ରାୟ ବିଭିନ୍ନ ସହରରେ ରକ୍ତଭଣ୍ଡାର ସ୍ଥାପିତ ହେଲା।ଏବେ ଭାରତର ବିଭିନ୍ନ ଜିଲ୍ଲା ଓ ଉପଖଣ୍ଡରେ ରକ୍ତ ଭଣ୍ଡାର ସ୍ଥାପିତ ହୋଇଛି।ଏହା ବ୍ୟତୀତ ଭ୍ରାମ୍ୟମାଣ ବସ ମାଧ୍ୟମରେ ରକ୍ତ ସଂଗ୍ରହର ବ୍ୟବସ୍ଥା କରାଯାଇଛି।ଏତେ ସବୁ ସୁବିଧା ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ଆଶାତୀତ ସଫଳତା ରକ୍ତଦାନ କ୍ଷେତ୍ରରେ ମିଲିପାରିନାହି।ଏଣୁ ରକ୍ତଦାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସରକାରଙ୍କୁ ସମସ୍ତ ବ୍ୟବସ୍ଥା କରିବାକୁ ପଡିବ।ଦେଖାଯାଏ ରକ୍ତଦାନ କରିବା ପାଇଁ ବିଶେଷ ଭାବରେ ଯୁବକମାନେ ଆଗେଇ ଆସିଥାନ୍ତି ।ଅବଶ୍ୟ ଏବେ ଯୁବତୀମାନେ ମଧ୍ୟ ରକ୍ତଦାତା ହେଇ ଅନେକ ଜୀବନ ପ୍ରଦୀପକୁ ଉଜ୍ଜୀବିତ କରୁଛନ୍ତି।ବର୍ତ୍ତମାନ କୋଭିଡ ସମୟରେ ରକ୍ତଦାନ ପ୍ରକ୍ରିୟା ଆହୁରି ମନ୍ଥର ହୋଇଯାଇଛି।

ଏବେତ ୧୮ରୁ ୪୫ବୟସ୍କ ମାନଙ୍କୁ କୋଭିଡ ଟିକା ଦେବା ଆରମ୍ଭ ହୋଇଛି।ଟିକା ନେଲା ପରେ ବର୍ତ୍ତମାନର ନିୟମ ଅନୁସାରେ ୧୫ଦିନ ଯାଏ ରକ୍ତଦାନ କରିପାରେବେ ନାହିଁ।ଏଣୁ ସମସ୍ତ ଯୁବକ ଯୁବତୀ ମାନେ ଟିକାନେବା ପୂର୍ବରୁ ରକ୍ତଦାନ କରି ରକ୍ତ ସଂଙ୍କଟକୁ ଦୂର କରିବାକୁ ନିବେଦନ।ଜଣେ ରକ୍ତଦାତା ହେବା ସୌଭାଗ୍ୟର କଥା। ରକ୍ତଦାନ କଲାପରେ ରକ୍ତଦାତାକୁ ଲାଗେ ଆଜି ଜୀବନରେ କିଛି ଭଲ କାମ କରିଛି।ମାନବସେବା ହିଁ ଈଶ୍ୱର ସେବାକୁ ଯଥାର୍ଥରେ ପାଳନ କରିଥିବାର ସାର୍ଥକ ମନେହୁଏ।ବିଶ୍ୱର ସବୁଠାରୁ ବଡ ଦାନ ରକ୍ତଦାନ।କାରଣ ରକ୍ତଦାତା ମନରେ ଦାନ ଦେବା ପରେ ଦାନଦେଲି ଏପରି ଭାବ ରହିନଥାଏ।କାରଣ ସେ ଜାଣେ ନାହିଁ ତା ରକ୍ତ କାହା ଧମନୀରେ ବହିଲା,କାହାର ଜୀବନ ବଞ୍ଚିଲା।ଜଣେ ମାନବ ପ୍ରେମୀ ହିଁ ରକ୍ତଦାନ କରିଥାଏ। ରକ୍ତଦାନ କରି ମାନବ ମୁହଁରେ ହସ ଖେଲେଇଥାଏ। ଏପରି ମହାର୍ଘ କାର୍ୟ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ।ସେମାନେ ଚିର ନମସ୍ୟ ଯେଉଁମାନେ ରକ୍ତଦାତା।ଏପରି ଏକ ପବିତ୍ର କାର୍ୟ୍ୟରେ ନିଜକୁ ନିୟୋଜିତ କରି ଧନ୍ୟ ମନେକରିବା।ଆସନ୍ତୁ ବଂଧୁ ସମସ୍ତେ ରକ୍ତଦାନ କରି ବସୁଧୈବ କୁଟୁମ୍ବ ର ଯଥାର୍ଥତା ପ୍ରତିପାଦିତ କରିବା।

Show More

Related Articles

Back to top button