Breaking PLUSଓଡ଼ିଶା

ସ୍ୱାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର

ନଭେମ୍ବର ୨୯ ତାରିଖ ବୁଧବାର ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଯୋଗ ଦେଇଛନ୍ତି ୩୭୩୨ ନର୍ସିଂ ଅଫିସର। ସେଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ ଯୋଗ ଦେଇଥିବା ନର୍ସିଂ ଅଫିସରଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନ୍‌ସ ନାଇଟେଙ୍ଗଲ ଏବଂ ମଦର ଟେରେସାଙ୍କ ପରି ସେବାର ପ୍ରତିମୂର୍ତ୍ତୀଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ ସେବାର ଏହି ମୂର୍ତ୍ତିମନ୍ତ ପ୍ରତୀକ ଙ୍କ ଆଦର୍ଶରେ କାମ କଲେ, ନିଜ ପାଇଁ ସେମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହ ରୋଗୀ ସେବା ପରି ଏକ ମହାନ ସେବାରେ ଯୋଗ ଦେଇଥିବାରୁ ନୂଆ ଅଧିକାରୀ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେ କହିଥିଲେ ଯେ ଆମ ସ୍ବାସ୍ଥ୍ୟ ସେବାର ମୂଳମନ୍ତ୍ର ହେଉଛି ପ୍ରତି ଜୀବନ ମୂଲ୍ୟବାନ। ଏହି ଆଦର୍ଶ ନେଇ ଆମେ କାମ କରୁଛୁ। ଏ ଦିଗରେ ନର୍ସିଂ ଅଫିସର ଏକ ଗୁରୁ ଦାୟିତ୍ବ ନିର୍ବାହ କରିପାରିବେ। ପ୍ରତି ଲୋକ ଯେପରି ଉତ୍ତମ ସେବା ପାଇପାରିବେ ସେ ଦାୟିତ୍ବ ଆପଣଙ୍କ ହାତରେ ରହିଛି। ଆପଣ ହିଁ ରୋଗୀଙ୍କ ଭିତରେ ଭରସା ସୃଷ୍ଟି କରିପାରିବେ। ଆପଣଙ୍କ ନିଷ୍ଠା ଏବଂ ସେବା ହିଁ ରୋଗୀଙ୍କ ବିଶ୍ବାସ ବୃଦ୍ଧି କରିପାରିବ। କୋରୋନା ସମୟରେ ଡାକ୍ତରଙ୍କ ସହିତ ନର୍ସିଂ ଅଫିସର ମଧ୍ୟ ବହୁତ ଭଲ କାମ କରିଥିଲେ। କୋଭିଡ ପରିଚାଳନାର ସଫଳତାରେ ନର୍ସିଂ ଅଫିସର ବହୁତ ବଡ଼ ଭୂମିକା ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Show More

Related Articles

Back to top button