ସୁପ୍ରିମକୋର୍ଟଙ୍କ ରାୟ ସାରା ଦେଶରେ ଏବର୍ଷ ଫୁଟିବନି ବାଣ

ଦୀପାବଳୀ ପୂର୍ବରୁ ଜାରି ହେଲା କଟକଣା । ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ସାରା ଦେଶ ପାଇଁ ଲାଗୁ ହେବ । ସାରା ଦେଶରେ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ କହିବା ଅନୁଯାଇ, ବେରିୟମ୍ ଓ ଅନ୍ୟ ନିଷିଦ୍ଧ ରସାୟନ ମିଶ୍ରିତ ବାଣ ଉପରେ କଟକଣା ସାରା ଦେଶରେ ଲାଗୁ ହେବ । ରାଜସ୍ଥାନର ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ଅଦାଲତ । କେବଳ ରାଜସ୍ଥାନରେ ନୁହେଁ, ସାରା ଦେଶରେ ପ୍ରଦୂଷଣ ହେଉଛି । ତେଣୁ ପ୍ରଦୂଷଣ ସୃଷ୍ଟିକାରୀ ବାଣକୁ ନିୟନ୍ତ୍ରଣ କରାଯାଉ । ଏଥିଲାଗି କୌଣସି ନୂଆ ରାୟ ଦେବାର ଆବଶ୍ୟକତା ନାହିଁ, କାରଣ ଦିଲ୍ଲୀ-ଏନସିଆର ପାଇଁ ଦିଆଯାଇଥିବା ରାୟ ସାରା ଦେଶରେ ଲାଗୁ ହେବ । ଦେଶ ସାରା ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ସାରା ଦେଶରେ ଦୀପାବଳୀ ପାଇଁ ଏହି କଟକଣା ଲାଗୁ ହେବ । ତେବେ ସବୁ ପ୍ରକାର ବାଣ ବିକ୍ରି ନିଷିଦ୍ଧ ହେବନାହିଁ, କେବଳ ବୋରିୟମ ଥିବା ବାଣ ବିକ୍ରି ଉପରେ ନିଷିଦ୍ଧ କରିବାକୁ କୋର୍ଟ ଯେଉଁ ରାୟ ଦେଇଥିଲେ ତାହା ପୂରା ଦେଶ ପାଇଁ ଲାଗୁ ହେବ ବୋଲି କୁହାଯାଇଛି। କେବଳ ସବୁଜ ବାଣକୁ ବିକ୍ରି ଅନୁମତି ମିଳିବ । ଏହି କଟକଣା ସାରା ଦେଶରେ କଡ଼ାକଡ଼ି ଭାବେ ଲାଗୁ ହେବା ଉଚିତ୍। ଏଥିଲାଗି ବିଭିନ୍ନ ସ୍ତରରେ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଉ। ଏଥିରେ ବିଫଳ ହେଲେ ସଂପୃକ୍ତ ଅଧିକାରୀ ଏଥିପାଇଁ ଦାୟୀ ରହିବେ। ରାଜ୍ୟମାନେ କେବଳ ଏହି ପାର୍ବଣ ଋତୁରେ ନୁହେଁ, ବରଂ ତାପରେ ବି ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବାକୁ ଏହି କଟକଣା ଲାଗୁ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।