Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ସୁନ୍ଦରଗଡରେ ଦିନକରେ 30 ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ

ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫ୍‌ସ। ଗତକାଲି ଗୋଟିଏ ଦିନରେ ସୁନ୍ଦରଗଡରେ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି। ତେବେ ରାଜ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି। ଗତ ଜାନୁଆରି ୧ରୁ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ ସ୍କ୍ରବ ଟାଇଫ୍‌ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଗଷ୍ଟ ୨୩ରେ ବଡ଼ଗାଁ ତୁଡ଼ାଲଗାର ସହଦେବ ତେଲି ନାମକ ଜଣେ ବ୍ୟକ୍ତିଙ୍କର ଏହି କାରଣରୁ ଜୀବନ ଯାଇଥିଲା। ତାଙ୍କ ଦେହରେ ସ୍କ୍ରବ ଟାଇଫ୍‌ସ ଚିହ୍ନଟ ହୋଇଥିଲା, ‌ତେବେ ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. କାହ୍ନୁଚରଣ ନାୟକ ସୂଚନା ଦେଇଥିଲେ। ତେବେ ସର୍ବାଧିକ ୪୦ ଜଣ ମଝାପଡ଼ା ଓ ୧୯ ଜଣ ସୁନ୍ଦରଗଡ଼ ସହରରୁ ସଂକ୍ରମିତ ଥିବା ଜଣାପଡ଼ିଛି। ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍‌ସ ସଂକ୍ରମଣ ଦେଖିବାକୁ ମିଳିଥାଏ। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ୱାରା ଲୋକଙ୍କ ଶରୀରରେ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ। ଟିଙ୍କ ଜାତୀୟ ଏହି ଅତି କ୍ଷୁଦ୍ର କୀଟ ସାଧାରଣତତଃ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳିଥାଏ। ପୋଖରୀ, ବିଲ କି ଜଙ୍ଗଲକୁ ଯାଉଥିବା ଲୋକେ ଏହି କୀଟ ଦଂଶନର ଶିକାର ହୋଇଥାନ୍ତି। ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ମୁଣ୍ଡ ବୁଲାଇବା, ମାଂସପେଶୀ ଦରଜ ହୋଇଥାଏ। କୀଟ କାମୁଡ଼ିଥିବା ସ୍ଥାନର ଚର୍ମ କୁଣ୍ଡେଇ ହେବା ସହ କିଛି ସମୟ ପ‌ରେ କଳା ପଡ଼ିଯାଏ। ପରେ ପରେ ରୋଗୀ ଜ୍ୱରରେ ପଡ଼ିଥାଏ। ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଠିକ ସମୟରେ ପରୀକ୍ଷା କରି ଚିକିତ୍ସା କରାଗଲେ ରୋଗୀଙ୍କ ଜୀବନ ବିପଦମୁକ୍ତ ହୋଇଥାଏ ବୋଲି ଡାକ୍ତର କହିଛନ୍ତି । ତେବେ ଏନେଇ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଛି। କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

Show More

Related Articles

Back to top button