Breaking PLUSଓଡ଼ିଶାସଂସଦ

ସମସ୍ତ ସାଂସଦଙ୍କ ପାଇଁ ହ୍ୱିପ ଜାରିକଲା ବିଜେଡି

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିବ ଶାସକ ବିଜେଡ଼ି।  ଏଥି ନିମନ୍ତେ ଗୃହରେ ସମସ୍ତ ଦଳୀୟ ସଦସ୍ୟ ଗୃହରେ ଉପସ୍ଥିତ ରହିବା ପାଇଁ ଆଜି ହ୍ୱିପ ଜାରି କରିଛି ବିଜେଡ଼ି। ଗତକାଲି ଲୋକସଭାରେ ବିଲ ପାସ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ରାଜ୍ୟସଭାରେ ବିଲ ଉପରେ ଆଲୋଚନା କରାଯିବ। ଦୀର୍ଘ ୭ ଘଣ୍ଟା ଧରି ଏହା ଉପରେ ଆଲୋଚନା କରାଯିବ। ଏହି ଆଲୋଚନା ଭାଗନେବା ପାଇଁ ଦଳର ସମସ୍ତ ସଦସ୍ୟ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  ତେବେ ଦିନ ୧୧ ଟାରୁ ଏହା ଉପରେ ଆଲୋଚନା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଉପରେ ବିତର୍କ ହେବ। ଆସନ୍ତା କାଲି ଶେଷ ଦିନ ଥିବାରୁ ଆଜି ଏହାକୁ ପାରିତ କରିବାକୁ ପ୍ରୟାସ କରାଯିବ ବୋଲି ସୂଚନା ମିଳିଛି। ସୂଚନା ଯୋଗ୍ୟ ଗତକାଲି ଏହି ବିଲ ଉପରେ ଲୋକସଭାରେ ବିତର୍କ କରାଯାଇଥିଲା। ଏହି ବିଲକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମର୍ଥନ ଜଣାଇଥିଲେ। ତେବେ ଏହି ବିଲ ରାଜ୍ୟସଭାରେ ପାରିତ ହେବା ପାଇଁ ଅସୁବିଧା ହେବ ନାହିଁ। ସଂସଦ ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ସମୁଦାୟ ଆସନର ୩୩% ଆସନକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ସଂସଦରେ  ଆଲୋଚନା ପାଇଁ ଏହି ବିଲ୍‍ ଉପସ୍ଥାପିତ ହୋଇଛି। ଏହାର ନାଁ ରହିଛି ‘ନାରୀଶକ୍ତି ବନ୍ଦନ ଅଧିନିୟମ’। ନୂଆ ସଂସଦ ଭବନର ପ୍ରଥମ ବିଧେୟକ ଭାବେ ଏହାକୁ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍‍ ଉପସ୍ଥାପନ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସର୍ବଦଳ ସହମତିରେ ପାରିତ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ଚଳିତ ଅଧିବେଶନରେ ଏହି ବିଧେୟକ ପାରିତ ହେବାର ସମ୍ଭାବନା ରହିଛି କିନ୍ତୁ ନୂଆ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ଓ ଜନଗଣନା ପରେ ଯାଇ ଏହାକୁ ଲାଗୁ କରାଯିବ ବୋଲି ବ୍ୟବସ୍ଥା ରହିଛି ଯାହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛି। ଏହି ବିଲ୍‍ ଆଇନରେ ପରିଣତ ହୋଇ ଲାଗୁ କରାଗଲେ ସଂସଦରେ ମହିଳାଙ୍କ ସଂଖ୍ୟା ୧୮୧ରେ ପହଞ୍ଚିବ। ଆଉ ୧୫ ବର୍ଷ ଲାଗି ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଏହା ସହ ପ୍ରତି ସୀମା ନିର୍ଦ୍ଧାରଣ ସମୟରେ ଏହି ଆରକ୍ଷଣ ବ୍ୟବସ୍ଥା ବଦଳିବ। ସେହିପରି ୩ ଓଡ଼ିଆ ସାଂସଦ ଏହି ଆଲୋଚନାରେ ସାମିଲ ହୋଇଥିଲେ। ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଆଲୋଚନାରେ ସାମିଲ ହୋଇଥିଲେ।  ଅମୃତକାଳରେ ଭାରତକୁ ନୂଆ ଦିଗ ଦେବା ଲାଗି ଉଦ୍ଦିଷ୍ଟ ଲାଗି ବିଜେପି ନେତୃତ୍ୱାଧୀନ ସରକାର ଗତକାଲି ଏହି ବିଧେୟକ ଉପସ୍ଥାପନ କରିଥିଲେ। ଏହାପରେ ଆଲୋଚନା ଆରମ୍ଭ ହୋଇଥିଲା। ଗତକାଲି ବିଜେଡି ପକ୍ଷରୁ ନିଜର ମନ୍ତବ୍ୟ ରଖିବା ଲାଗି ଲୋକସଭାରେ ସମୟ ମିଳିଥିଲା। ସର୍ମିଷ୍ଠା ସେଠୀ ହେଉଛନ୍ତି ଯାଜପୁରର ସାଂସଦ ଏବଂ ଜଗତସିଂହପୁରର ସାଂସଦ ଭାବେ ରାଜଶ୍ରୀ ମଲ୍ଲିକ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି। ଗତକାଲି ପୂର୍ବାହ୍ଣରେ ଆଲୋଚନା ଆରମ୍ଭ କରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍‍ ମହିଳା ଆରକ୍ଷଣ ବିଲ୍‍ ସଂସଦରେ କେବେ କେମିତି ଉପସ୍ଥାପନ କରାଯାଇଥିଲା ଏବଂ ତାହା କିପରି ସମ୍ପୂର୍ଣ୍ଣତା ଲାଭ କରିପାରି ନଥିଲା ତାହା ବର୍ଣ୍ଣନା କରିଥିଲେ। ପୂର୍ବରୁ ଉପସ୍ଥାପିତ ହୋଇଥିବା ସମସ୍ତ ବିଲ୍‍ ଆଇନ ଅନୁସାରେ ଖାରଜ ହୋଇଛି ଏବଂ ଏହା ନୂତନ ବିଲ୍‍ ହୋଇଥିବାରୁ ଏହାକୁ ପାରିତ କରିବାକୁ ଶ୍ରୀ ମେଘଓ୍ୱାଲ୍‍ ସାଂସଦମାନଙ୍କୁ ଅନୁରୋଧ କରିଥିଲେ।  ଏହାପରେ ରାୟବରେଲିରୁ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ପ୍ରଥମ ବକ୍ତା ଭାବେ ଏହି ବିଧେୟକକୁ ସମର୍ଥନ କରି ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ବିଲ୍‍ ପାରିତ ହେବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସ୍ୱପ୍ନ ପୂରଣ ହେବ ବୋଲି କହିଥିଲେ। ଏହି ବିଲ୍‍କୁ ନେଇ ସେ ଖୁସି ସହ ଉଦବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଏତେଦିନ ହେଲା ମହିଳାମାନେ ଏହି ଅଧିକାର ପାଇବା ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ଏହି ବିଲରେ ଆହୁରି ଅନେକ ବର୍ଷ ଅପେକ୍ଷା କରିବାକୁ କୁହାଯାଇଛି। ଯାହାକୁ କଂଗ୍ରେସ ବିରୋଧ କରୁଛି। ଏହା ଭାରତୀୟ ମହିଳାଙ୍କ ପାଇଁ ଘୋର ଅନ୍ୟାୟ ବୋଲି ସେ କହିଥିଲା। ଏଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ।

Show More

Related Articles

Back to top button