ଶବ୍ଦ ପ୍ରଦୂଷଣ ହେତୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି

ରାଜ୍ୟରେ ଶବ୍ଦ ପ୍ରଦୂଷଣ ଚିନ୍ତା ବଢ଼ାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବିବାହ ରୋଷଣୀ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ମନଇଚ୍ଛା ମ୍ୟୁଜିକ୍ ସିଷ୍ଟମ୍ ଓ ଡିଜେ ବ୍ୟବହାର ଫଳରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ ହେଉଛି। ଯେଉଁଥିପାଇଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଅତ୍ୟଧିକ ଶବ୍ଦ ବୟସ୍କ ବ୍ୟକ୍ତି, ରୋଗୀ ଓ ଶିଶୁଙ୍କ ଉପରେ କୁପ୍ରଭାବ ମଧ୍ୟ ପକାଉଛି। ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ମ୍ୟୁଜିକ୍ ସିଷ୍ଟମ୍ ଓ ଡିଜେ ଉପରେ କଟକଣା ଲଗାଇବାକୁ ସ୍ୱତନ୍ତ୍ର ଆଇନ ରହିଥିଲେ ମଧ୍ୟ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ। ବିଶେଷକରି ଯୁବଗୋଷ୍ଠୀମାନେ ଏବେ ଗ୍ରାମାଞ୍ଚଳରେ ଶବ୍ଦ ପ୍ରଦୂଷଣ ଅଧିକ କରୁଥିବା ଦେଖିବାକୁ ମିଳୁଛି। ଏକାଧିକ ପୂଜା ଭସାଣିରେ ବିଭିନ୍ନ କମିଟି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଡିଜେ ଆଣିବା ଉପରେ ଜୋର୍ ଦେଉଛନ୍ତି। କିଏ କେତେ ଉଚ୍ଚ ଧ୍ୱନି ସୃଷ୍ଟି କରିପାରୁଛି, ଏଥିପାଇଁ ସେମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ମଧ୍ୟ ଚାଲୁଛି। ୨୦୨୧ ମାର୍ଚ୍ଚରେ ରାଜ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପରିବେଶ ତଦାରଖ ସେଲ୍ ବୈଠକରେ ଶବ୍ଦ ପ୍ରଦୂଷଣକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ଶବ୍ଦ ପ୍ରଦୂଷଣକୁ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ। ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲାପାଳ ଓ ଏସ୍ପିମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମେମ୍ବର ସେକ୍ରେଟାରୀ କେ. ମୁରୁଗେସେନ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶ ଠିକ ଭାବେ ପାଳନ କରାଯାଉ ନାହିଁ, ଫଳରେ ଲୋକଙ୍କ ପାଇଁ ବିପଦ ବଢ଼ୁଛି ବୋଲି ପରିବେଶବିତ୍ ମତ ଦେଉଛନ୍ତି। ତେବେ ‘ଏନ୍ଭାଇରନ୍ମେଣ୍ଟ ପ୍ରୋଟେକ୍ସନ୍ ଆକ୍ଟ ୧୯୮୬’ ଅନ୍ତର୍ଗତ ‘ନଏଜ୍ ପୋଲ୍ୟୁସନ୍ (କଣ୍ଟ୍ରୋଲ ଏଣ୍ଡ୍ ରେଗୁଲେଶନ୍) ରୁଲ୍ସ ୨୦୦୦’ ଅନୁଯାୟୀ ଶବ୍ଦ ପ୍ରଦୂଷଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ଏହି ନିୟମ ଅନୁଯାୟୀ, ବିଭିନ୍ନ ଅଞ୍ଚଳକୁ ୪ଟି ଜୋନ୍ ଯଥା ଇଣ୍ଡଷ୍ଟ୍ରିଆଲ ଏରିଆ, କମର୍ସିଆଲ୍ ଏରିଆ, ରେସିଡେନ୍ସିଆଲ ଏରିଆ ଓ ସାଇଲେନ୍ସ ଜୋନ୍ରେ ବିଭକ୍ତ କରାଯାଇଛି। ଦିନ ଓ ରାତି ପାଇଁ ଏହି ଅଞ୍ଚଳଗୁଡ଼ିକରେ କେତେ ଡେସିବଲ୍ ଯାଏ ଶବ୍ଦ ସୃଷ୍ଟି କରିହେବ ସେନେଇ ସମୟ ଧାର୍ଯ୍ୟ ରହିଛି। ସକାଳ ୬ରୁ ରାତି ୧୦ ଦିନ ଏବଂ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ରାତି ସମୟ ବୋଲି ସମୟସୀମା ଧରାଯାଉଛି। ଇଣ୍ଡଷ୍ଟ୍ରିଆଲ ଏରିଆରେ ଦିନ ବେଳା ୭୫ ଡେସିବଲ୍ ଓ ରାତିରେ ୭୦ ଡେସିବଲ୍ ଯାଏ ସର୍ବାଧିକ ଶବ୍ଦ ସୃଷ୍ଟି କରିହେବ। ସେହିଭଳି କମର୍ସିଆଲ୍ ଏରିଆ ପାଇଁ ଦିନ ୬୫ ଓ ରାତି ୫୫, ରେସିଡେନ୍ସିଆଲ୍ ଏରିଆ ପାଇଁ ଦିନ ୫୫ ଓ ରାତି ୪୫ ଏବଂ ସାଇଲେନ୍ସ ଜୋନ୍ ପାଇଁ ଦିନ ୫୦ ଓ ରାତି ବେଳା ୪୦ ଡେସିବଲ୍ ଯାଏ ଶବ୍ଦ ସୃଷ୍ଟି କରିହେବ। ଏଥିସହ ରାଜ୍ୟ ସରକାର କୌଣସି ସାଂସ୍କୃତିକ ଏବଂ ଧାର୍ମିକ ଉତ୍ସବ ପାଇଁ ରାତି ୧୨ଟା ପର୍ଯ୍ୟନ୍ତ ମ୍ୟୁଜିକ୍ ସିଷ୍ଟମ ପାଇଁ ଅନୁମତି ଦେଇପାରିବେ। ହେଲେ ଏହା ଗୋଟିଏ ବର୍ଷ ମଧ୍ୟରେ ସର୍ବାଧିକ ୧୫ ଦିନ ପାଇଁ ଏହି ଅନୁମତି ଦେଇପାରିବାକୁ ନିୟମ ରହିଛି। ଏହି ଆକ୍ଟ ଅନୁଯାୟୀ ଉଲ୍ଲଘଂନକାରୀଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ଯାଏ ଜରିମାନାରେ ଦଣ୍ଡିତ କରାଯିବ। ଏଥିସହ ଆଇପିସି ଦଫା ୨୬୮, ୨୯୦, ୨୯୧ ଅନୁସାରେ ମଧ୍ୟ ଜରିମାନା ଏବଂ ଜେଲଦଣ୍ଡର ବ୍ୟବସ୍ଥା ରହିଛି।