
ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କର ଛାତ୍ରଛାତ୍ରୀଙ୍କୁ ବଡ଼ ଭେଟି। ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ବିଜୁ ଯୁବ ସଶକ୍ତୀକରଣ ଯୋଜନା ଅଧୀନରେ (ଲାପ୍ଟପ୍ ଡିବିଟି ଯୋଜନା) (Laptop DBT Scheme)ରେ ଲାପଟପ୍ କିଣିବା ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦିଆଯାଉଛି। ତେବେ ଏଥିପାଇଁ ଅବେଦନ ପ୍ରକ୍ରିୟାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ପର୍ଯ୍ୟନ୍ତ ଆବେଦନ ଅବଧିକୁ ବଢ଼ାଇ ଦିଆଯାଇଛି। ଚଳିତ ମାସ ୧୬ ତାରିଖ ଆବେଦନର ଶେଷ ତାରିଖ ଥିଲା। ତେବେ, ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ଏହି ଯୋଜନାରୁ ବାଦ୍ ନ ପଡିବେ। ସେଥିଲାଗି ଏହାକୁ ଦୃଷ୍ଟିରେ ରଖି ଆବେଦନ ଅବଧିକୁ ବଢାଇ ଦିଆଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଲାପଟପ୍ ଡିବିଟି ୨୦୨୨ , ଏପ୍ରିଲ୍ ୫ରୁ ଏହି ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନା ଅଧିନରେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଏବଂ ଏସ୍ଏସ୍ଜେୟୁ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ www.scholarship.odisha.gov.inରେ ଆବେଦନ କରିପାରିବେ । ଖାସ୍ କରି ମେଧାବୀ ଛାତ୍ରଛାତ୍ରୀମାନେ ନିଜର ଆଧାର ନମ୍ବର, ଆଧାର ସଂଯୋଗ ମୋବାଇଲ୍ ନମ୍ବରରେ ଉପରିକ୍ତ ଲିଙ୍କରେ ପଞ୍ଜିକରଣ କରି ଯୋଜନାର ସୁବିଧା ପାଇପାରିବେ । ଏହାପରେ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ନିଜର ବିବରଣୀ ଦେଇ ଆବେଦନ କରିବେ । ଯେଉଁ ଛାତ୍ରଛାତ୍ରୀମାନେ ବୈଧ ତାରିଖ ମଧ୍ୟରେ ଆବେଦନ କରିନାହାନ୍ତି ସେମାନଙ୍କୁ ଏହି ସୁଯୋଗ ପୁଣିଥରେ ଦିଆଯାଇଛି । ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସମୟସୀମା ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି । ସରକାର ଏହି ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ । ଏବଂ ପ୍ରତିବର୍ଷ ପାସ୍ କରିଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସରକାର ମାଗଣାରେ ଲାପଟପ୍ ଯୋଗାଇ ଆସୁଛନ୍ତି।