Breaking PLUSଦେଶ

ମଣିପୁରକୁ ଫେରିବ ଶାନ୍ତି,ବିଦ୍ରୋହୀ ଗୋଷ୍ଠୀ ସହ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର

ମଣିପୁରକୁ ଶାନ୍ତି ଫେରାଇ ଆଣିବାକୁ ଆଜି କେନ୍ଦ୍ର ସରକାର ଏକ ବଡ଼ ସଫଳତା ଲାଭ କରିଛନ୍ତି । କାରଣ ମଣିପୁରର ସବୁଠାରୁ ପୁରୁଣା ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ(ୟୁଏନଏଲଏଫ) ସହ କେନ୍ଦ୍ର ସରକାର ସ୍ଥାୟୀ ଶାନ୍ତି ଚୁକ୍ତି କରିଛନ୍ତି। ୟୁଏନଏଲଏଫ, କେନ୍ଦ୍ର ସରକାର ଓ ମଣିପୁର ସରକାରଙ୍କ ମଧ୍ୟରେ ଏପରି ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ସ୍ଵାକ୍ଷର ହୋଇଛି। ତେବେ ଏହି ଗୋଷ୍ଠୀ ସହ ସରକାର କିଛି ଦିନ ହେବ ଆଲୋଚନା କରୁଥିବା ବେଳେ ତାହା ଆଜି ଫଳପ୍ରଦ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋଶାଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ବିଦ୍ରୋହୀ ସଂଗଠନର ସଦସ୍ୟମାନେ ବନ୍ଧୁକ ଛାଡ଼ି ଏକାଠି ଶାନ୍ତି ପାଇଁ ସହମତି କରିଥିବାର ଏକ ଭିଡିଓ ମଧ୍ୟ ଶ୍ରୀ ଶାହ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଗୃହମନ୍ତ୍ରୀ ଲେଖିଛନ୍ତି, ଏକ ଐତିହାସିକ ସଫଳତା ହାସଲ ହୋଇଛି। ଉତ୍ତର-ପୂର୍ବ ରାଜ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦୀ ସରକାର ସରକାରଙ୍କ ଅକ୍ଲାନ୍ତ ଉଦ୍ୟମରେ ଭାରତୀୟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡା ଯାଇଛି। ୟୁନାଇଟେଡ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ) ଆଜି ନୂଆଦିଲ୍ଲୀରେ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛି। ସୂଚନା ଅନୁସାରେ, ଦୀର୍ଘ ୬ ଦଶନ୍ଧି ଧରି ଭାରତୀୟ ସୁରକ୍ଷାକର୍ମୀ ଓ ୟୁଏନଏଲଏଫ ମଧ୍ୟରେ ଲଢ଼େଇ ଚାଲିଥିଲା। କିନ୍ତୁ ୟୁଏନଏଲଏଫ ସହ ଶାନ୍ତି ଚୁକ୍ତି କରିବା ପାଇଁ ଆଲୋଚନା ଚାଲିଥିବା କିଛି ଦିନ ତଳେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ସୂଚନା ଦେଇଥିଲେ। ଏବେ ଏହି ଆଲୋଚନା ଶେଷରେ ସଫଳ ହୋଇଛି। ଏକଦା ଇମ୍ଫାଲର ଆରକେ ମେଘହେନ ୟୁଏନଏଲଏଫର ନେତୃତ୍ୱ ନେଉଥିଲେ। କିନ୍ତୁ ବେଶ କିଛି ବର୍ଷ ତଳେ ସେ ସଂଗଠନକୁ ଅଲବିଦା କହିଥିଲେ। ତଥାପି ଏହି ସଶସ୍ତ୍ର ବିଦ୍ରୋହୀ ସଂଗଠନ ମଣିପୁରରେ ସକ୍ରିୟ ରହିଥିଲା। ପିଏଲ ଓ ଅନ୍ୟାନ୍ୟ ବିଦ୍ରୋହୀ ସଂଗଠନ ଭଳି ୟୁଏନଏଲଏଫ ମଧ୍ୟ ମଣିପୁରର ସାର୍ବଭୌମତ୍ୱ ପାଇଁ ଲଢ଼େଇ କରୁଥିବା ଦାବି କରୁଥିଲା। ଭାରତ ଠାରୁ ମଣିପୁରକୁ ଅଲଗା କରିବା ଏହି ସଂଗଠନର ଲକ୍ଷ୍ୟ ଥିଲା। ହେଲେ ଏବେ ୟୁଏନଏଲ ସହ କେନ୍ଦ୍ର ଓ ରାଜ୍ୟ ସରକାର ଶାନ୍ତି ଚୁକ୍ତି କରି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

Show More

Related Articles

Back to top button