ରାଜନୀତି

ବିନା ବ୍ୟାନର ଓ ପୋଷ୍ଟରରେ ଲଢିବେ ଆଗାମୀ ଲୋକସଭା ନିର୍ବାଚନ

ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଲୋକସଭା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ ୨୦୨୪ ନିର୍ବାଚନରେ ବିନା ବ୍ୟାନର ପୋଷ୍ଟରରେ ଲଢିବେ ବୋଲି ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୋଟ ଦେବା ଲାଗି କାହାକୁ ସେ ପଇସାଟେ ବି ଦେବେନି କି କାହାଠାରୁ ପଇସା ନେବେନି। ତେବେ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ବଡ ଘୋଷଣା କରିଛନ୍ତି । ଗଡକରୀ କହିଛନ୍ତି ସେ ଏହି ଲୋକସଭା ନିର୍ବାଚନରେ ନିଜ ନିର୍ବାଚନ ମଣ୍ଡଳୀରେ ସେ ବ୍ୟାନର ପୋଷ୍ଟର ଲଗାଇବେ ନାହିଁ । କାହା ପାଇଁ ଚା’ ପାଣିର ବ୍ୟବସ୍ଥା ବି କରିବି ନାହିଁ । ସେ ସ୍ପଷ୍ଟ କରି ଦେଇଛନ୍ତି କି ମୁଁ ସଚ୍ଚୋଟତାର ସହ ସମସ୍ତଙ୍କ ସେବା କରିବି । ମୁଁ କାହାଠାରୁ କିଛି ଖାଇବି ନାହିଁ କି କାହାକୁ ଖାଇବାକୁ ଦେବି ନାହିଁ । ଗତ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମହାରାଷ୍ଟ୍ରର ୱାସିିମ ଜିଲ୍ଲାରେ ସିମେଣ୍ଟ କଂକ୍ରିଟ୍ ସଡକ ଉଦଘାଟନ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ ଆଗାମୀ ଲୋକସଭା ନିର୍ବାଚନ ବିଷୟରେ ବଡ ଘୋଷଣା କରିଛନ୍ତି । ନିତିନ କହିଛନ୍ତି, ସେ ନିଷ୍ପତ୍ତି ନେଇଛନ୍ତି ବିନା କୌଣସି ପୋଷ୍ଟର ବ୍ୟାନର ନ ଲଗାଇ ଏହି ଲୋକସଭା ନିର୍ବାଚନ ଲଢିବେ । କାହାକୁ ଚା’ ପାଣି ବି ଦେବେ ନାହିଁ । ଲୋକମାନେ ତାଙ୍କୁ ଭୋଟ ଦେଲେ ଦିଅନ୍ତୁ ନ ହେଲେ ନାହିଁ ।ସେ ଆହୁରି କହିଛନ୍ତି, ମୁଁ ଭୋଟରଙ୍କୁ ମାଲ ପାଣି ଦେବି ନାହିଁ । ଲକ୍ଷ୍ମୀଙ୍କ ଦର୍ଶନ କରାଇ ଦେବି ନାହିଁ । ଦେଶୀ କି ବିଦେଶୀ ମଦ ମିଳିବ ନାହିଁ । ମୁଁ କାହାଠାରୁ ଗୋଟିଏ ପଇସା ଖାଇବି ନାହିଁ କି କାହାକୁ ପଇସା ଖାଇବାକୁ ଦେବି ନାହିଁ । କିନ୍ତୁ ସମସ୍ତଙ୍କୁ କଥା ଦେଉଛି ଦେଶର ଜନତାଙ୍କ ସେବା ସଚ୍ଚୋଟତାର ସହ କରିବି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ନିତିନ ଗଡକରୀ ବର୍ତ୍ତମାନ ନାଗପୁରରୁ ସାଂସଦ ରହିଛନ୍ତି । ୨୦୧୪ ଓ ୨୦୧୯ରେ ସେ ଏଠାରୁ ବିଜୟ ଲାଭ କରିଛନ୍ତି । ମୋଦୀ ସରକାରରେ ନିତିନ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ମନ୍ତ୍ରୀ ଭାବରେ ସୁନାମ ଅର୍ଜନ କରିଛନ୍ତି ।

Show More

Related Articles

Back to top button