
ଗତ ତିନି ଦିନ ହେବ ଶାହରୁଖ ଖାନ ଏବଂ ବିଜୟ ସେଥୁପାତିଙ୍କ ଫିଲ୍ମ ‘ଯବାନ’ର ରୋଜଗାରରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଗତ ରବିବାର ଦିନ ଏହି ଫିଲ୍ମ ଏତେ ବେଶି ଆୟ କରିଛି ଯେ ୩୯ ଦିନରେ ସିନେମାଟି ବଲିଉଡର ସର୍ବାଧିକ ଆୟ କରିଥିବା ଫିଲ୍ମର ରେକର୍ଡ ସୃଷ୍ଟି କରିଛି। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ‘ଯବାନ’ ଚଳିତବର୍ଷ ଜାନୁଆରିରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ରେକର୍ଡ ଭାଙ୍ଗିଛି। ଫିଲ୍ମଟି ରୋଜଗାର ବେପାର ଦୃଷ୍ଟିରୁ ଏକ ନମ୍ବରରେ ସ୍ଥାନ ପାଇଛି।ସେପ୍ଟେମ୍ବର ୭ ତାରିଖରେ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ ରିଲିଜ ହେବା ପରେ ଅନେକ ବଲିଉଡ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। କିନ୍ତୁ ଏହି ଫିଲ୍ମ ଉପରେ ସେସବୁ ଫିଲ୍ମର କୌଣସି ପ୍ରଭାବ ପଡିଥିବାର ଦେଖିବାକୁ ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ସିନେମାଟି ସମୁଦାୟ ୬୩୩.୭୮ କୋଟି ଟଙ୍କା ରୋଜଗାର କରି ସାରିଥିବା ବେଳେ ବିଶ୍ୱ ସ୍ତରରେ ୧୧୩୨.୭୮ କୋଟି ଟଙ୍କାର ଆୟ କରିବା ସହ ଫିଲ୍ମଟି ୩୮ ଦିନରେ ୧.୭୫ କୋଟି ଟଙ୍କାର ବେପାର କରି ସାରିଲାଣି। ନିକଟ ଅତୀତରେ ଚଳଚ୍ଚିତ୍ର ‘ଯବାନ୍’ର ସଫଳତା ଯୋଗୁଁ ହତ୍ୟା ଧମକ ଆସିଛି ବୋଲି ଲିଖିତ ଅଭିଯୋଗ ହେବା ପରେ ବଲିଉଡ୍ ଚଳଚ୍ଚିତ୍ର ଅଭିନେତା ଶାହାରୁଖ୍ ଖାନ୍ଙ୍କ ସୁରକ୍ଷା ବ୍ୟବସ୍ଥା ‘ୱାଇପ୍ଲସ୍’ ବର୍ଗକୁ ବୃଦ୍ଧି କରିବା ପାଇଁ ଆଜି ମହାରାଷ୍ଟ୍ର ସରକାର ଆଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ‘ଭିଆଇପି ସିକ୍ୟୁରିଟି’ର ‘ଆଇଜି’ ଶାହାରୁଖ ଖାନ୍ଙ୍କ ସୁରକ୍ଷା ଉନ୍ନୀତ କରିଛନ୍ତି। ଏହି ସୁରକ୍ଷା ସେବା ପାଇଁ ଘରୋଇ ଭାବେ ପାଣ୍ଠି ଯୋଗାଣର ବ୍ୟବସ୍ଥା ଥିବାରୁ ନିଜେ ଶାହାରୁଖ ସମସ୍ତ ଖର୍ଚ୍ଚ ବହନ କରିବେ। ଏଥି ନିମନ୍ତେ ଯାହା କିଛି ଅର୍ଥ ଖର୍ଚ୍ଚ ହେବ, ଶାହାରୁଖ ଖାନ୍ ରାଜ୍ୟ ସରକାରଙ୍କୁ ସେ ବାବଦ ଅର୍ଥ ପୈଠ କରିବେ।